IPL 2025 ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକଙ୍କ ନାମ ଘୋଷଣା, କିଏ ସେହି ଖେଳାଳି?
1 min read
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ଆଗାମୀ ସିଜିନ ପାଇଁ ଆଉ ପାଖାପାଖି ୧ ସପ୍ତାହ ବାକି ରହିଛି । ଏହା ମଧ୍ୟରେ ଆଇପିଏଲ ୨୦୨୫କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦିଲ୍ଲୀ କ୍ୟାପିଟାଲ୍ସ (DC) ତା’ର ଅଧିନାୟକଙ୍କ ନାମ ଘୋଷଣା କରିଛି । ଅଲରାଉଣ୍ଡର ଅକ୍ଷର ପଟେଲ ଆଇପିଏଲ ୨୦୨୫ରେ ଦିଲ୍ଲୀର ନେତୃତ୍ବ ନେବେ । କେଏଲ ରାହୁଲ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ହେବେ ବୋଲି ପ୍ରଥମେ ଅନୁମାନ କରାଯାଉଥିଲା । ମାତ୍ର ଏବେ ଅକ୍ଷରଙ୍କ ମୁଣ୍ଡରେ ହାତୀ ସୁନା କଳସ ଢାଳିଛି । ଆଇପିଏଲ ୨୦୨୫ର ନିଲାମୀରେ ଦିଲ୍ଲୀ ଅକ୍ଷରଙ୍କୁ ୧୪ କୋଟି ଟଙ୍କାରେ କିଣିଥିଲା । ଏବେ ଫ୍ରାଞ୍ଚାଇଜି ତାଙ୍କୁ ଏକ ବଡ଼ ଦାୟିତ୍ବ ଦେଇଛି । ଟି-୨୦ କ୍ରିକେଟରେ ଅକ୍ଷର ୧୬ଟି ମ୍ୟାଚରେ ବରୋଦାର ନେତୃତ୍ବ ନେଇଛନ୍ତି । ସେଥିମଧ୍ୟରୁ ଟିମ ୧୦ଟି ମ୍ୟାଚରେ ବିଜୟୀ ହୋଇଥିଲା ।
ଅକ୍ଷର ଗତ ଆଇପିଏଲ ସିଜିନରେ ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ବିପକ୍ଷରେ ଦିଲ୍ଲୀର ଅଧିନାୟକ ଦାୟିତ୍ବ ନେଇଥିଲେ । ସେତେବେଳେ ଦିଲ୍ଲୀକୁ ୪୭ ରନରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ଅଧିନାୟକ ଭାବେ ସେ ୩୬.୪୦ ଆଭରେଜରେ ୩୬୪ ରନ ସଂଗ୍ରହ କରିଥିଲେ । ସେହି ଅବଧିରେ ତାଙ୍କର ସର୍ବାଧିକ ସ୍କୋର ୫୭ ରହିଥିଲା, ଯାହାକି ସେ ଗତ ସିଜିନରେ ଆରସିବି ବିପକ୍ଷରେ ସଂଗ୍ରହ କରିଥିଲେ । ଟି-୨୦ କ୍ରିକେଟରେ ଅକ୍ଷର ଅଧିନାୟକ ଥାଇ ୨୯.୦୭ ଆଭରେଜରେ ୧୩ଟି ଓ୍ବିକେଟ ଅକ୍ତିଆର କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ପଦ ସମ୍ଭାଳିବା ସମ୍ମାନର ବିଷୟ ବୋଲି ଅକ୍ଷର କହିଛନ୍ତି ।