ଦିଲ୍ଲୀ ବ୍ଲାଷ୍ଟ: ମାସେ କରାଗଲା ବ୍ରେନଓ୍ବାସ, ହେଲେ ସମୟରେ ଆତ୍ମଘାତି ବମର୍ ହେବାକୁ ମନା କରିଦେଲା ଜସିର ଓ୍ବାନୀ
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବ୍ଲାଷ୍ଟକୁ ନେଇ ନୂଆ ଖୁଲାସା । ବ୍ଲାଷ୍ଟ ପାଇଁ ଥିଲେ ଦୁଇ ଜଣ ଆତ୍ମଘାତି ବମର୍ । ହେଲେ ଠିକ ସମୟରେ ଜସିର ବିଲାଲ ଓ୍ବାନି ନାମକ କାଶ୍ମୀର ଯୁବକ ଆତ୍ମଘାତି ଦଳରେ ସାମିଲ ହେବାକୁ ମନା କରି ଦେଇଥିଲା । ଆତ୍ମଘାତି ବମର ହେବା ପାପ ବୋଲି ସେ କହିଥିଲା । ଦିଲ୍ଲୀ ବ୍ଲାଷ୍ଟ ଘଟଣାରେ ଗିରଫ ଜସିରକୁ ପଚରାଉଚରା ବେଳେ ସେ ତଦନ୍ତକାରୀ ଟିମକୁ ଏମିତି କିଛି ସଫେଇ ଦେଇଛି । ଦିଲ୍ଲୀ ବ୍ଲାଷ୍ଟ ଓ ହ୍ବାଇଟ କଲର ଟେରର ମଡ୍ୟୁଲରେ ସାମିଲ ଥିବା ଅଭିଯୋଗରେ ଶ୍ରୀନଗର ପୋଲିସ କାଜିଗୁଣ୍ଡର ଜାସିରକୁ ଗିରଫ କରିଥିଲା । ତଦନ୍ତ ବେଳେ ଜଣାପଡ଼ିଛି, ଡମଡ୍ୟୁଲର ମାଷ୍ଟରମାଇଣ୍ଡ ଡ. ଉମର ନବୀ ଜସିରର ବ୍ରେନଓ୍ବାସ କରି ତାକୁ ଆତ୍ମଘାତି ଆକ୍ରମଣକାରୀ ହେବାକୁ ରାଜି କରାଇଥିଲା । ଫରିଦାବାଦରୁ ବିସ୍ଫୋରକ ଜବତ ମାମଲାରେ ଗିରଫ ଡକ୍ଟର କହିଥିଲେ ରାଜନୀତି ବିଜ୍ଞାନ ଛାତ୍ର ଜସିର ବିଲାଲ ଓ୍ବାନିକୁ ଉମର ଜରିଆରେ ୨୦୨୩ରୁ ଆତ୍ମଘାତି ବିସ୍ଫୋରଣ ପାଇଁ ପ୍ରସ୍ତୁତ କରାଯାଉଥିଲା । ହେଲେ ୨୦୨୫ରେ ତାକୁ ଯେତେବେଳେ ବିସ୍ଫୋରଣ କରିବାକୁ କୁହାଯାଇଥିଲା ସେ ମନା କରିଦେବା ସହ ଇସଲାମରେ ଏହା ପାପ ବୋଲି କହିଥିଲା ।
ଆତ୍ମଘାତି ବିସ୍ଫୋରଣ ସପକ୍ଷରେ ଥିଲା ଉମର
ଆତଙ୍କବାଦୀ ଡ. ଉମରର ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ସେ ଇଂଲିସରେ କହୁଥିବା ଶୁଣିବାକୁ ମିଳୁଛି । ନିଜ ବୟାନରେ ଉମର ଆତ୍ମଘାତି ବିସ୍ଫୋରଣ ପାପ ନୁହେଁ ବୋଲି କହୁଥିବା ଶୁଣିବାକୁ ମିଳୁଛି । ଆତ୍ମଘାତି ବିସ୍ଫୋରଣକୁ ଆଜି ଯାଏଁ ଠିକରେ ବୁଝାଯାଇନାହିଁ ବୋଲି ସେ ଭିଡିଓରେ କହିଛି ।
ଜସିରକୁ ଶ୍ରୀନଗରରୁ ଫରିଦାବାଦ ଅଣାଗଲା
ରିପୋର୍ଟ ଅନୁସାରେ ୨୦୨୩ ଅକ୍ଟୋବରରେ ଜସିର ବିଲାଲର ଏହି ଆତଙ୍କବାଦୀ ଦଳର ସଦସ୍ୟଙ୍କ ସହ କୁଲଗାମରେ ହୋଇଥିଲା । ଏହାପରେ ତାକୁ ଫରିଦାବାଦରେ ଥିବା ଅଲ ଫଲାହ ବିଶ୍ବବିଦ୍ୟାଳୟ ପାଖରେ ଏକ ଭଡ଼ା ଘରେ ରଖାଯାଇଥିଲା । ସେଠାରେ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଉମର ନବି ତାକୁ ଆତ୍ମଘାତି କରିବାକୁ ମାସାଧିକ କାଳ ଧରି ବ୍ରେନଓ୍ବାସ କରିଥିଲା ।
କାହିଁକି ଆତ୍ମଘାତି ବମର ହେଲାନି ଜସିର ?
୨୦୨୫ରେ ଜସିର ପଛକୁ ହଟିଯିବା ପରେ ଯୋଜନା ଫେଲ୍ ହୋଇଯାଇଥିଲା । ଆତ୍ମଘାତି ବିସ୍ଫୋରକ ନହେବାକୁ ନେଇ ଜସିର ଦୁଇଟି କାରଣ ବତାଇଥିଲା । ପ୍ରଥମଟି ହେଲା, ତା’ ପରିବାରର ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା । ଆଉ ଦ୍ବିତୀୟରେ ତା’ର ବିଶ୍ବାସ ଥିଲା ଇସଲାମରେ ଆତ୍ମହତ୍ୟା ବର୍ଜିତ ଅଟେ । ମିଳିଥିବା ସୂଚନା ଅନୁସାରେ, ଆରମ୍ଭରୁ ମଡ୍ୟୁଲର ଅନ୍ୟ ସଦସ୍ୟ ଜସିରକୁ ଗ୍ରାଉଣ୍ଡ ଓ୍ବାର୍କର ଭାବେ କାମ କରାଇବାକୁ ଚାହୁଁଥିଲେ । ହେଲେ ଉମର ତାକୁ ଆତ୍ମଘାତି ବମର ବନାଇବା ଉପରେ ଜୋର ଦେଇଥିଲେ । କୁହାଯାଉଛି, ଜସିର ମନା କରିବା ପରେ ଉମର ନିଜେ ଆତ୍ମଘାତି ବମର ବନିଯିବା ସହ ବିସ୍ଫୋରକ ଲଦା କାରକୁ ନେଇ ନଭେମ୍ବର ୧୦ ତାରିଖରେ ଲାଲକିଲ୍ଲା ପାଖରେ ବ୍ଲାଷ୍ଟ କରାଇଥିଲା । ଆତଙ୍କବାଦୀ ଡ. ଅଦିଲ ରାଥର ଓ ଡ. ମୁଜଫର ଗନଇ ଗିରଫ ହେବା ପରେ ଜସିରର ସୂଚନା ମିଳିଥିଲା । ଜସିରକୁ ପଚରାଉଚରାରୁ ଜମ୍ମୁ ଓ କାଶ୍ମୀର ପୋଲିସ ଜୈଶ ଏ ମହମ୍ମଦ ସହ ଜଡିତ ପୂରା ଅନ୍ତଃରାଜ୍ୟ ଆତଙ୍କବାଦୀ ନେଟଓ୍ବର୍କର ପର୍ଦ୍ଦାଫାସ ହୋଇ ପାରିଥିଲା ।
ନିଜକୁ ନିଆଁ ଲଗାଇ ଆତ୍ମହତ୍ୟା କରିଦେଲେ ଜସିରର ବାପା
ଜମ୍ମୁ ଓ କାଶ୍ମୀର ପୋଲିସ ଜସିରର ବାପା ବିଲାଲ ଓ୍ବାନିକୁ ପଚରାଉଚରା ପାଇଁ ଡକାଇଥିଲା । ଏହି ସମୟରେ ବିଲାଲ ନିଜ ଦେହରେ ନିଆଁ ଲଗାଇ ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଗିରଫ ଜସିର ଓ ତା’ ଦାଦାକୁ ଭେଟିବାକୁ ବାରମ୍ବାର ଦାବି କରି ବିଫଳ ହେବା ପରେ ବିଲାଲ ଏମିତି ପଦକ୍ଷେପ ନେଇଥିବା କୁହାଯାଉଛି । ଯାହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫିତ ଘଟଣାକୁ ନେଇ ପୋଲିସ ଅଧିକାରୀଙ୍କୁ ନିନ୍ଦା କରିଛନ୍ତି ।

