କାଲି ସରିବ ଦିଲ୍ଲୀ ପ୍ରଚାର: ହାଟ୍ରିକ ଲକ୍ଷ୍ଯରେ ଆପ, ଶାସନକୁ ଫେରିବାକୁ କଂଗ୍ରେସ-ବିଜେପିର ପ୍ରାଣମୂର୍ଚ୍ଛା ଉଦ୍ଯମ

1 min read

ନୂଆଦିଲ୍ଲୀ: ଆସନ୍ତାକାଲି ସରିବ ଦିଲ୍ଲୀ ବିଧାନସଭା ପାଇଁ ପ୍ରଚାର । ୫ ତାରିଖରେ ଭୋଟ । ୮ ତାରିଖରେ ଗଣତି । ସବୁ ରାଜନୈତିକ ଦଳର ଆଖିରୁ ହଜିଯାଇଛି ନିଦ । ଭୋଟ ହାତେଇବା ଲାଗି ବିଜେପିର ଉଦ୍ଯମକୁ ଖୁଲାସା କରିଛନ୍ତି କେଜ୍ରିଓ୍ବାଲ । ବ୍ଲାକମେଲର ଶିକାର ନହେବାକୁ ସେ ଦେଇଛନ୍ତି ଆହ୍ବାନ । ତେଣେ ପ୍ରଚାରରେ ସାମିଲ ହୋଇଛନ୍ତି ବହୁ କେନ୍ଦ୍ରମନ୍ତ୍ରୀ । ଅମୃତସରରେ ଆମ୍ବେଦକର ପ୍ରତିମୂର୍ତ୍ତି ଭଙ୍ଗା ରାଜନୀତିର ପ୍ରଭାବ ପଡିଛି ଦିଲ୍ଲୀରେ ।

ବର୍ତ୍ତମାନ ଦିଲ୍ଲୀ ଦଖଲ ପାଇଁ ବଡ଼ ଷଡଯନ୍ତ୍ର ଚର୍ଚ୍ଚା । ଭୋଟ ହାତେଇବା ଲାଗି ଖୋଲାଖୋଲି ଭୋଟରଙ୍କୁ କରାଯାଉଛି ବ୍ଲାକମେଲ । ଏପରିକି ଘର ଘର ବୁଲି ଇଙ୍କ ଲଗାଇବା ପାଇଁ ଚାଲିଛି ଯୋଜନା । ଏଭଳି ବ୍ଯକ୍ତି ବିଶେଷଙ୍କ ଜାଲରେ ନପଡିବାକୁ ଆହ୍ବାନ ଦେଇଛନ୍ତି ଆପ୍ ନେତା ଅରବିନ୍ଦ କେଜ୍ରିଓ୍ବାଲ । ସେ କହିଛନ୍ତି- ଯଦି ବିଜେପି ସରକାରକୁ ଆସିବ ତେବେ କିଛି ମାସରେ ଦିଲ୍ଲୀରୁ ବସ୍ତି ମୂଳପୋଛ ହୋଇଯିବ । ବିଜେପିରେ ମିଶିବା ଲାଗି ନେତାଙ୍କୁ ବାଧ୍ଯ କରାଯାଉଛି । ବିଭିନ୍ନ ଧମକ ଚମକ ଦିଆଯାଉଛି । ରାଜଧାନୀରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡିଯାଇଛି ।

ତେବେ କେଜ୍ରିଓ୍ବାଲଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେପି । ଦିଲ୍ଲୀରେ ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ବ ଆରୋପ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସନ୍ଦୀପ ଦୀକ୍ଷିତ । ଦିଲ୍ଲୀବାସୀ ସଠିକ୍ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଶିବସେନା ୟୁବିଟି ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ।

ଆସନ୍ତାକାଲି ସରିବ ବିଧାନସଭା ନିର୍ବାଚନ ପ୍ରଚାର । ଭୋଟରଙ୍କୁ ମନାଇବାକୁ ମଇଦାନରେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ତିନି ପ୍ରମୁଖ ରାଜେନୖତିକ ଦଳ ଆପ, ବିଜେପି ଓ କଂଗ୍ରେସ । ଆପ ହାଟ୍ରିକ ଲକ୍ଷ୍ୟରେ ରହିଛି । ଅନ୍ୟପକ୍ଷେ କୌଣସି ପ୍ରକାରେ କ୍ଷମତାକୁ ଆସିବା ଲାଗି ବିଜେପି ଓ କଂଗ୍ରେସ ଚଳାଇଛନ୍ତି କସରତ । ପ୍ରଚାରରେ ସାମିଲ ହୋଇଛନ୍ତି ବିଜେପିର ବହୁ କେନ୍ଦ୍ରମନ୍ତ୍ରୀ । ଘରକୁ ଘର ଯାଇ ଭୋଟରଙ୍କୁ କରୁଛନ୍ତି ଆକର୍ଷିତ । ତେଣେ ପଞ୍ଜାବ ଅମୃତସରରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା ଘଟଣାରେ ବଢିଛି ରାଜନୀତି । ଏହି ଘଟଣାରେ ଆପକୁ ଦାୟୀ କରି କେଜ୍ରିଓ୍ବାଲଙ୍କ ବାସଭବନ ଆଗରେ ବିକ୍ଷୋଭ କରିଛି କଂଗ୍ରେସ । ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ କ୍ଷେତ୍ର ପ୍ରସ୍ତୁତ ଥିବା କହିଛନ୍ତି ନିର୍ବାଚନ ଅଧିକାରୀ ।