ଶୀତ ଲହରୀ ଯୋଗୁଁ ଦିଲ୍ଲୀରେ ନିମ୍ନଗାମୀ ହେଉଛି ପ୍ରଦୂଷଣ ସ୍ତର

1 min read

ନୂଆଦିଲ୍ଲୀ: ପୁଣି ଖରାପ ହେଲା ଦିଲ୍ଲୀ ଏକ୍ୟୁଆଇ । ପ୍ରବଳ ଶୀତ ଜାରି ରହିଥିବାବେଳେ ବାୟୁ ଗୁଣବତ୍ତା ହ୍ରାସ ପାଇଛି । ବାୟୁ ଗୁଣବତ୍ତାକୁ ଦୃଷ୍ଟିରେ ରଖି ଓ୍ବାର୍କ ଫ୍ରମ ହୋମ ନୀତି ଓ କାର୍ପୁଲକୁ ଗୁରୁତ୍ବ ଦିଆଯାଇଛି। ଜରୁରୀ ନଥିବା କାର୍ଯ୍ୟଗୁଡିକର ନିର୍ମାଣ କାର୍ଯ୍ୟ ବାତିଲ କରାଯାଇଥିଛି । ପ୍ଲମ୍ବିଂ, କାର୍ପେଣ୍ଟ୍ରି, ଇଣ୍ଟେରିୟର ଡେକୋରେସନ ଓ ଇଲେକ୍ଟ୍ରିକାଲ କାର୍ଯ୍ୟକୁ ଅନୁମତି ରହିଛି । ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ ବା ଗ୍ରାପ ପକ୍ଷରୁ ପ୍ରଦୂଷଣ ନିରୋଧ ଯୋଜନା ଅନୁସାରେ ବିଭିନ୍ନ କଟକଣା ଜାରି କରାଯାଇଛି ।

ଦିଲ୍ଲୀ ଏନସିଆରର ସମସ୍ତ ଅଞ୍ଚଳ ଲାଗି ଏହି ନିୟମ ଲାଗୁ ହୋଇଛି । ପବନର ଗତି ଥମିଯିବା ସହ ସ୍ଥିର ପରିବେଶ ଯୋଗୁ ବାୟୁ ଗୁଣବତ୍ତା ଅଧିକ ନିମ୍ନଗାମୀ ହେବା ଆଶଙ୍କା ରହିଛି । ଗତକାଲି ଏକ୍ୟୁଆଇ ୩୯୯ ଥିବାବେଳେ ଆଜି ତାହା ଅଧିକ ହେବା ଆଶଙ୍କା ରହିଛି । ଏକ୍ୟୁଆଇ ୨୦୧ରୁ ୩୦୦ ହେଲେ ତାହାକୁ ଖରାପ କୁହାଯାଇଥାଏ । ୩୦୧ରୁ ୪୦୦ ହେଲେ ଅଧିକ ଖରାପ ଓ ୪୦୧ରୁ ୫୦୦ ହେଲେ ଅତ୍ୟଧିକ ଖରାପ କୁହାଯାଇଥାଏ।

ସେହିପରି ଦିଲ୍ଲୀ-ଏନସିଆରରେ କୋଇଲା ସମେତ ବିଭିନ୍ନ ଅଣସ୍ବୀକୃତିପ୍ରାପ୍ତ ଜାଳେଣି ବ୍ୟବହାର କରୁଥିବା ଶିଳ୍ପଗୁଡିକୁ ଆସନ୍ତା ଜାନୁଆରୀ ୧ ତାରିଖରୁ ବନ୍ଦ ଲାଗି କେନ୍ଦ୍ରର ଏୟାର କ୍ବାଲିଟି ପ୍ୟାନେଲ ନିଷ୍ପତ୍ତି ନେଇଥିଲା । ସେପଟେ ଉତ୍ତର ଭାରତରେ ଶୀତ ଓ କୁହୁଡି ତାଣ୍ଡବ ଜାରି ରହିଛି ।