ଦିଲ୍ଲୀ ବିମାନବନ୍ଦରରେ ଫସିଲେ ଶହ ଶହ ଯାତ୍ରୀ, ଦଳାଚକଟା ପରିସ୍ଥିତି ସୃଷ୍ଟି

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ଝଡ଼ ତୋଫାନ ଯୋଗୁ ଅଟକି ରହିଲା ଅନେକ ବିମାନ । ଯାତ୍ରାରେ ବିଳମ୍ବ ହେବାରୁ ବିମାନ ବନ୍ଦରରେ ଅଟକି ରହିଲେ ଶହ ଶହ ଯାତ୍ରୀ । ରାତିସାରା ଯାତ୍ରୀମାନେ କୁଆଡେ ଯାଇ ନପାରି ହନ୍ତସନ୍ତ ହୋଇଛନ୍ତି । ବିମାନବନ୍ଦରରେ ଏତେ ଯାତ୍ରୀ ହୋଇଗଲେ ଯେ, ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ଗତକାଲି ରାତିରେ ଦିଲ୍ଲୀରେ ପ୍ରବଳ ଝଡ଼ ତୋଫାନ ଯୋଗୁ କିଛି ସମୟ ପାଇଁ ଠପ୍ ହୋଇଯାଇଥିଲା ସହର । ଏହାର ପ୍ରଭାବ ଯାତାୟତରେ ପଡ଼ିଥିଲା । ଦିଲ୍ଲୀ ଇନ୍ଦିରାଗାନ୍ଧୀ ବିମାନବନ୍ଦରରେ ଏହାର ଏତେ ପ୍ରଭାବ ପଡ଼ିଥିଲା ଯେ, ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ବିମାନବନ୍ଦର ଟର୍ମିନାଲ ୩ର ଗେଟ ନଂ ୪୨ଏରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାତ୍ରୀଙ୍କ ସଂଖ୍ୟା ଏତେ ବଢ଼ି ଯାଇଥିଲା ଯେ, ପରିସ୍ଥିତି ଅସମ୍ଭାଳ ହୋଇଥିଲା । ଆଜି ସକାଳୁ ଫସି ରହିଥିବା ଯାତ୍ରୀଙ୍କୁ ୨ରୁ ୮ଟି ବିମାନ ବୋର୍ଡିଂ କରୁଛି ।

ଶୁକ୍ରବାର ରାତିରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏଭଳି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଛି ବୋଲି କହିଛି ଏୟାର ଇଣ୍ଡିଆ ।