ପ୍ରଦୂଷଣକୁ ନେଇ ସୁପ୍ରିମ୍ କୋର୍ଟରେ ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ସାଂଘାତିକ । ଅଣନିଶ୍ୱାସୀ ହେଲେଣି ରାଜଧାନୀବାସୀ । ପ୍ରଦୂଷଣକୁ ନେଇ ଜରୁରୀକାଳୀନ ସ୍ଥିତି ଉପୁଜିଥିବା ବେଳେ ସୁପ୍ରିମ୍ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ଏଥିରେ ଦର୍ଶାଯାଇଛି, ପ୍ରଦୂଷଣକୁ ଦୃଷ୍ଟିରେ ରଖି ଟାକ୍ସ ଫୋର୍ସ ଗଠନ କରାଯାଇଛି । ରାଜଧାନୀରେ ପଲ୍ୟୁସନ କଣ୍ଟ୍ରୋଲ ପାଇଁ ନିଆଯାଇଥିବା ଜରୁରୀକାଳୀନ ପଦକ୍ଷେପ ଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ଏହି ଟିମ୍ ତା’ର ତଦାରଖ କରିବ ।

୫ ଜଣିଆ ଟାସ୍କ ଫୋର୍ସ ଟିମ୍ ସହ ୪୦ଟି ଫ୍ଲାଇଙ୍ଗ ସ୍କ୍ୱାଡ ଗଠନ କରାଯାଇଛି । ଏହି ଟିମରେ ପୋଲିସକୁ ମଧ୍ୟ ସାମିଲ କରାଯାଇଛି । ଏହି ଟିମ୍ ରାଜଧାନୀର ୧୨୪ଟି ପ୍ରବେଶ ପଥରେ ରହି ସହର ମଧ୍ୟକୁ ଯାତାୟତ କରୁଥିବା ଟ୍ରକ  ଉପରେ ନଜର ରଖିବେ । କେବଳ ସିଏନଜି ଟ୍ରକ ଓ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା  ଟ୍ରକକୁ ଦିଲ୍ଲୀ ଭିତରକୁ ଆସିବାକୁ ଅନୁମତି ମିଳିବ ।

ସେପଟେ ଆଜିଠାରୁ ଦିଲ୍ଲୀରେ ସବୁ ସ୍କୁଲ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି । ପ୍ରଦୂଷଣସ୍ତର କମୁ ନ ଥିବାରୁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ବିଷାକ୍ତ ବାୟୁ ଯୋଗୁ ଶ୍ୱାସକ୍ରିୟାରେ ସମସ୍ୟା ଉପୁଜୁଥିବା ବେଳେ ହସ୍ପିଟାଲରେ ବି ରୋଗୀଙ୍କ ସଂଖ୍ୟା ବଢୁଛି । ଯାହାକୁ ଦୃଷ୍ଟିରେ ରଖି ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଦିଲ୍ଲୀରେ କେତେକ ହସ୍ପିଟାଲର ସମ୍ପ୍ରସାରଣ କରାଯାଉଥିବା ବେଳେ କେତେକ ନୂଆ ଡାକ୍ତରଖାନା ମଧ୍ୟ ନିର୍ମାଣ କରାଯାଉଛି ବୋଲି ସୁପ୍ରିମ୍ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର ।

Leave a Reply