ଚାର୍ଜସିଟ ଦାଖଲରେ ବିଳମ୍ବ, ଖସିଯାଉଛନ୍ତି ଅଭିଯୁକ୍ତ…

1 min read
Commissionerate Police Guidelines For Marriage And Funeral Related Functions

ଭୁବନେଶ୍ୱର: ଚାର୍ଜସିଟ ଦାଖଲରେ ବିଳମ୍ବ ଯୋଗୁଁ ଖସିଯାଉଛନ୍ତି ଅଭିଯୁକ୍ତ । ଜଣେ କିମ୍ବା ଦୁଇ ଜଣ ନୁହେଁ ଏଭଳି ଦାୟିତ୍ୱହୀନତା ପାଇଁ କମିଶନରେଟ ପୋଲିସରେ ବର୍ଷକୁ ୩୦ ରୁ ୪୦ ଜଣ ଅଭିଯୁକ୍ତ ଖସିଯାଉଥିବା ଅଭିଯୋଗ ହୋଇଛି । ତେବେ ଏସବୁ ପଛରେ ପୋଲିସର ନିଷ୍କ୍ରିୟତା ମୁଖ୍ୟ କାରଣ ବୋଲି କୁହାଯାଉଛି ।

ପଦାରେ ପଡିଲା ପୋଲିସର ନିଷ୍କ୍ରିୟତା । ୨୦୧୯ ନଭେମ୍ବର ୨୦ ତାରିଖ । ବାଙ୍କୁଆଳ ନଦୀ ବନ୍ଧରେ ୫ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିଥିଲା ସହିଦନଗର ସ୍ପେସାଲ ସ୍କ୍ୱାଡ୍ । ବଡ ଡକାୟତି ଯୋଜନାକୁ ପଣ୍ଡ କରିବା ସହ ବନ୍ଧୁକ, ଗୁଳି, କଟୁରି ଓ ବାଇକ୍ ଜବତ ହେଲା । ସହିଦନଗର ଥାନାରେ ମାମଲା ବି ହେଲା । ତଦନ୍ତକାରୀ ଅଧିକାରୀ ଥିଲେ ସବଇନ୍ସପେକ୍ଟର ସଞ୍ଜୟ କୁମାର ଜେନା । ହେଲେ କୋର୍ଟଚାଲାଣର ୬୦ ଦିନ ଭିତରେ ଚାର୍ଜସିଟ୍ ଦାଖଲ କରିନଥିବାରୁ ଜାମିନ ପାଇଗଲେ ଅଭିଯୁକ୍ତ ।

ପୋଲିସ ସର୍କୁଲାର ନମ୍ବର-୨୪୮/୮୨ ଅନୁସାରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବାର କଡ଼ା ନିର୍ଦେଶ ରହିଛି । ଏହାକୁ ଉପରିସ୍ଥ ଅଧିକାରୀ ତଦାରଖ କରିବାର ନିୟମ ମଧ୍ୟ ରହିଛି । ଧାର୍ଯ୍ୟ ସମୟସୀମା ମଧ୍ୟରେ ଚାର୍ଜସିଟ୍ ଦାଖଲ ନ କଲେ ତୁରନ୍ତ ସମ୍ପୃକ୍ତ ତଦନ୍ତକାରୀ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯିବାର ସର୍କୁଲାରରେ ଉଲ୍ଲେଖ ରହିଛି । ହେଲେ ସାମାନ୍ୟ ଦାୟିତ୍ଵ ହୀନତା ପାଇଁ ଖସିଯାଉଛନ୍ତି ଅଭିଯୁକ୍ତ ।

କେବଳ ଗୋଟିଏ ଉଦାହରଣ ନୁହେଁ । ୨୦୧୯ ନଭେମ୍ବର ୨୭ରେ ଜଣେ ନାବାଳିକାକୁ ଦୁଷ୍କର୍ମ ନେଇ ମାମଲା ରୁଜୁ ସହ ଅଭିଯୁକ୍ତ ସୌମ୍ୟରଞ୍ଜନ ଜେନାକୁ ପୋଲିସ ଗିରଫ କରିଥିଲା । ଏହି ସମ୍ବେଦନଶୀଳ ମାମଲାରେ ମଧ୍ୟ ପୋଲିସ ଚାର୍ଜସିଟ୍ ଦାଖଲ କରି ନ ଥିବାରୁ ଅଭିଯୁକ୍ତ ଜାମିନ ପାଇ ଯାଇଥିଲା । ଏହି ମାମଲାର ତଦନ୍ତକାରୀ ଅଧିକାରୀ ଥିଲେ ସୁବାସ ଚନ୍ଦ୍ର ଭଟ୍ଟ । ଏହା ଭିତରେ ମାଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ମାନବସମ୍ବଳ ଅଭାବ ଓ ଆଇନଶୃଙ୍ଖଳା, ଭିଭିଆଇପି ସିକ୍ୟୁରିଟି ପ୍ରଭୃତିରେ କମିଶନରେଟ ପୋଲିସ ବ୍ୟସ୍ତ ରହୁଥିବାରୁ ଚାର୍ଜସିଟ ଦାଖଲରେ ବିଳମ୍ବ ହେଉଥିବା କହିଛନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ ।

Leave a Reply