କାଲି ୫ ଜିଲ୍ଲାରେ ପ୍ରବଳ ବର୍ଷା, ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ବର ; ଶ୍ରାବଣ ସରି ଅଧା ହେଲାଣି ଭାଦ୍ରବ । ଲଗାତାର ଦୁଇ ଦୁଇଟି ଲଘୁଚାପ ବି ହେଲା । ହେଲେ ରାଜ୍ୟରେ ବର୍ଷାର ଅଭାବ ଦେଖା ଦେଇଛି । ୭ ଜିଲ୍ଲାରେ ସ୍ଥିତି ଉତ୍କଟ । ଜୁନ୍ ପହିଲାରୁ ଏବେ ସୁଦ୍ଧା ରାଜ୍ୟରେ ହାରାହାରି ୭୬୪.୦ ମିଲିମିଟର ବର୍ଷା ହୋଇଛି ଯାହାକି ସ୍ବାଭାବିକ ବର୍ଷା । ମାତ୍ର ୭ଟି ଜିଲ୍ଲାରେ ବର୍ଷା ପରିମାଣ ନିଅଣ୍ଟିଆ ରହିଛି । କଳାହାଣ୍ଡି ଓ ରାୟଗଡାରେ ସର୍ବାଧିକ ୩୦ ପ୍ରତିଶତ ବର୍ଷା କମ୍ ହୋଇଥିବା ବେଳେ ଗଜପତିରେ ୨୧ ପ୍ରତିଶତ କମ,  ବଲାଙ୍ଗୀରରେ ୨୮ ପ୍ରତିଶତ, ପୁରୀରେ ୨୮ ପ୍ରତିଶତ, ଖୋର୍ଦ୍ଧାରେ ୨୧ ପ୍ରତିଶତ ଓ ଯାଜପୁରରେ ୨୧ ପ୍ରତିଶତ କମ୍ ବର୍ଷା ହୋଇଛି । ସାରା ରାଜ୍ୟରେ ଏଯାଏଁ ୬ ପ୍ରତିଶତ କମ୍ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସ୍ବୀକାର କରିଛି । ଏଥିସହ ୨ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ଓ ୨୧ ଜିଲ୍ଲାରେ ବର୍ଷା ସ୍ବାଭାବିକ ରେକର୍ଡ ହୋଇଛି ।  ତେବେ ପାଣିପାଗ ବିଜ୍ଞାନି ଡ. ସୁରେନ୍ଦ୍ର ନାଥ ପଶୁପାଳକ ଏହାର ବୈଜ୍ଞାନିକ କାରଣ ସମ୍ପର୍କରେ କହିଛନ୍ତି । ସୃଷ୍ଟି ହୋଇଥିବା ଦୁଇଟିଯାକ ଲଘୁଚାପ ବ୍ୟାପକ ଅଞ୍ଚଳରେ ବର୍ଷା କରିପାରିନି । ପ୍ରଥମ ଲଘୁଚାପ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇ ଝାଡ଼ଖଣ୍ଡ ଆଡ଼କୁ ଚାଲିଗଲା । ଯେଉଁଥିପାଇଁ ଉତ୍ତର ଓଡ଼ିଶାରେ ଭଲ ବର୍ଷା ହୋଇଛି । ଦ୍ବିତୀୟ ଲଘୁଚାପ ଦକ୍ଷିଣ ବଙ୍ଗୋପସାଗର ହୋଇଥିବାରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେଲା । ଜଳବାୟୁ ପରିବର୍ତ୍ତନ ବି ସ୍ବଳ୍ପ ବୃଷ୍ଟିପାତ ଏକ ବଡ଼ କାରଣ । ମଧ୍ୟପ୍ରାଚ୍ୟ ଓ ଆରବ ସାଗରରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଆର୍ଦ୍ରତା ବଢୁଛି । ବଗତ କିଛି ବର୍ଷ ହେବ ଠିକ୍ ସମୟରେ ବି ମୌସୁମୀ ଆସୁନି । ଯେଉଁଥି ପାଇଁ ଚାଷ ସମୟ, ପଦ୍ଧତି ଓ କିସମରେ ପରିବର୍ତ୍ତନ ଆଣିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏପଟେ ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ବରଗଡ଼, ଝାରସୁଗୁଡା, ସମ୍ବଲପୁର,ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆସନ୍ତାକାଲି ପାଇଁ ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ବାକି ୨୫ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ଏହା ପରେ ପାଗରେ ପରିବର୍ତ୍ତନ ହୋଇପାରେ । ସ୍ବଳ୍ପ ବୃଷ୍ଟିପାତ ହୋଇଥିବା ୭ ଜିଲ୍ଲାର ତାଲିକାରେ କୃଷି ପ୍ରଧାନ କଳାହାଣ୍ଡି ଓ ବଲାଙ୍ଗୀର ବି ରହିଛି । ବର୍ଷାର ଲୁଚକାଳି ଯୋଗୁଁ ସେସବୁ ଜିଲ୍ଲାର ଚାଷୀ ପ୍ରଭାବିତ ହେବାର ଆଶଂକା ରହିଛି ।