ବସିବ ଭାରତ-ଚୀନ ସାମରିକସ୍ତରୀୟ ଆଲୋଚନା, ସକାଳ ସାଢେ ୧୦ରେ ବୈଠକ

1 min read

ନୂଆଦିଲ୍ଲୀ: ରବିବାର ସକାଳ ସାଢେ ୧୦ଟାରେ ବସିବ ଭାରତ-ଚୀନ ସାମରିକସ୍ତରୀୟ ବୈଠକ । ପ୍ରକୃତ ନିୟନ୍ତ୍ରଣ ରେଖାର ଚୀନ ପଟେ ଅବସ୍ଥିତ ମୋଲଡୋରେ ବସିବ ତ୍ରୟୋଦଶ ବୈଠକ । ହଟ ସ୍ପ୍ରିଙ୍ଗସରେ ଘଟିଥିବା ଉତ୍ତେଜନା ପ୍ରସଙ୍ଗ ଏହି ବୈଠକର ମୁଖ୍ୟତଃ ସ୍ଥାନ ପାଇବ । ଡେପସାଙ୍ଗ ବଲଜ ଓ ଡିଚୋକରେ ଚୀନ ସୈନ୍ୟ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯିବା ନେଇ ଭାରତ ଦାବି କରିବ । ବୈଠକରେ ଲେଫ୍ଟନାଣ୍ଟ ଜେନରାଲ ପିଜିକେ ମେନନ ଭାରତର ପ୍ରତିନିଧିତ୍ବ କରିବେ । ସେ ବର୍ତ୍ତମାନ ଲେହସ୍ଥିତ ୧୪ କର୍ପସର କମାଣ୍ଡର ଅଛନ୍ତି ।

ସେପଟେ ଭାରତ ଓ ଚୀନ ମଧ୍ୟରେ କର୍ପସ କମାଣ୍ଡରସ୍ତରୀୟ ଆଲୋଚନା ପୂର୍ବରୁ ସୀମାନ୍ତରେ ପୁଣି ଉତ୍ତେଜନା ପ୍ରକାଶ ପାଇଥିଲା । ଦୁଇ ଦେଶର ସୀମାନ୍ତ ଅନ୍ତର୍ଗତ ପୂର୍ବାଞ୍ଚଳ ସେକ୍ଟରରେ ଦୁଇ ଦେଶର ସୈନ୍ୟ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ସୀମାରେଖାରେ ଏହି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ପରେ ଉଭୟ ପକ୍ଷ ସତର୍କ ରହିଛନ୍ତି । ତାଓ୍ବାଙ୍ଗ ସେକ୍ଟରର ୟାଙ୍ଗସେ ଅଞ୍ଚଳରେ ଏହି ଉତ୍ତେଜନା ଘଟିଥିଲା । ଚୀନର ଏକ ବଡ ବାହିନୀ ସୀମାନ୍ତରେ ସଂଘର୍ଷର ସୂତ୍ରପାତ କରିବା ଲାଗି ଚାହିଁଥିଲେ ଏବଂ ଭାରତୀୟ ପାଟ୍ରୋଲିଂ ଟିମ୍ ଏହାର ସଫଳ ମୁକାବିଲା କରିବାରେ ସକ୍ଷମ ହୋଇଥିଲା ।

ତେବେ ପରେ ପରେ ଲୋକାଲ କମାଣ୍ଡରମାନଙ୍କ ହସ୍ତକ୍ଷେପ ଯୋଗୁ ଏହି ଉତ୍ତେଜନା ଥମିଥିଲା । ପ୍ରକୃତ ନିୟନ୍ତ୍ରଣ ରେଖା ନେଇ ସ୍ପଷ୍ଟତା ରକ୍ଷା କରାଯାଇ ନଥିବାରୁ ଦୁଇ ଦେଶର ସୀମାରେ ଏପରି ସ୍ଥିତି ସୃଷ୍ଟି ହେଉଛି । ତେବେ ଭାରତର ପ୍ରତିରକ୍ଷା ଭିତ୍ତିଭୂମି ପ୍ରତି ଆଞ୍ଚ ଆସିନାହିଁ ବୋଲି କୁହାଯାଇଛି । ତାଓ୍ବାଙ୍ଗ ସେକ୍ଟରରେ ଗତ 2016ରେ ଏପରି ସମସ୍ୟା ସୃଷ୍ଟି ହୋଇଥିଲା । ମାତ୍ର ସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା । ଗତ ଅଗଷ୍ଟରେ ଉତ୍ତରାଖଣ୍ଡର ବାରାହୋତି ସେକ୍ଟରରେ ବି 100ରୁ ଅଧିକ ଚୀନ ସୈନ୍ୟ ପ୍ରବେଶ କରି ଉତ୍ତେଜନା ସୃଷ୍ଟି କରିଥିଲେ । ଏଲଏସିର ଉଭୟ ପାର୍ଶ୍ବରେ ବର୍ତ୍ତମାନ ଦୁଇ ପକ୍ଷର ପ୍ରାୟ ୬୦ ହଜାର ସୈନ୍ୟ ମୁତୟନ ହୋଇଛନ୍ତି ।

Leave a Reply