spot_img

Latest Posts

ଦଶହରାରେ ଚୀନ୍ ସୀମାରେ ଶସ୍ତ୍ର ପୂଜା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ଚୀନ ସୀମାରେ ମୁତୟନ ସୈନିକମାନଙ୍କର ମନୋବଳ ବଢାଇବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଦଶହରାରେ ଅସ୍ତ୍ର ପୂଜା କରିବେ । ଏହା ବ୍ୟତୀତ ସିକ୍କିମରେ ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ପରିଦର୍ଶନ ମଧ୍ୟ କରିବେ। ସେନା ଅନୁସାରେ , ପ୍ରତିରକ୍ଷା ମନ୍ତ୍ରୀ ଅକ୍ଟୋବର ୨୩ ଓ ୨୪ ତାରିଖରେ ସିକ୍କିମ ସେକ୍ଟରରେ LAC ପରିଦର୍ଶନ କରିବେ ଏବଂ ସେଠାରେ ଅସ୍ତ୍ର ପୂଜା ମଧ୍ୟ କରିବେ ।

ସୂଚନା ଅନୁସାରେ LAC ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେଠାରେ ଅନେକ ସେତୁ ଉଦଘାଟନ ଓ ଶୁଭଆରମ୍ଭ କରିବେ । ଗତ ବର୍ଷ ପ୍ରତିରକ୍ଷା ମନ୍ତ୍ରୀ ଫ୍ରାନ୍ସରେ ରାଫେଲ ଯୁଦ୍ଧ ବିମାନର ଅସ୍ତ୍ର ପୂଜା କରିଥିଲେ ଏବଂ ଚଳିତ ବର୍ଷ ସେ ଚୀନ୍ ସୀମାରେ ଅସ୍ତ୍ର ପୂଜା କରିବେ।

ରାଜନାଥ ସିଂହଙ୍କର ଏହି ଯାତ୍ରା ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ବିବାଦ ସମୟରେ ହୋଇଛି । LAC ଉପରେ ଉଭୟ ପାର୍ଶ୍ୱରୁ ଗୁଳି ଚଳାଇବାର ଘଟଣା ମଧ୍ୟ ହୋଇସାରିଛି । ଏବଂ ଏହି ହିଂସାକାଣ୍ଡରେ ଉଭୟ ଦେଶର ସୈନିକ ପ୍ରାଣ ହରାଇଛନ୍ତି। ତେବେ ବିହାର ନିର୍ବାଚନ ରାଲିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ଦେଇଛନ୍ତି । ରାହୁଲ ଗାନ୍ଧି ଦେଶର ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଅଭିଯୋଗ କରିଛନ୍ତି ରାଜନାଥ ସିଂ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ରାହୁଲ କହୁଛନ୍ତି ଯଦି ତାଙ୍କ ସରକାର ଶାସନକୁ ଆସେ ତାହେଲେ ସେ ତିନି ଘଣ୍ଟା ମଧ୍ୟରେ ଚୀନ୍ ସେନାକୁ ତଡିଦେବେ । ସେ ତାଙ୍କ ସରକାରକୁ ନିନ୍ଦା କରିବାକୁ ଚାହାନ୍ତି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ପୂର୍ବରୁ ଯେତେବେଳେ ସେମାନେ ଶାସନ କରୁଥିଲେ ଦେଶ ପାଇଁ କ’ଣ କରିଥିଲେ । ମୋଦୀ ସରକାର ଦେଶର ଗୋଟେ ଇଞ୍ଚ ଜମି ମଧ୍ୟ କାହାକୁ ଦଖଲ କରିବାକୁ ଦେବେ ନାହିଁ।

Latest Posts

Don't Miss