ପରବର୍ତ୍ତୀ ସିଡିଏସଙ୍କୁ ନେଇ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ସେନା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାଓ୍ବତଙ୍କ ଦେହାନ୍ତ ଘଟିବା ପରେ ଏହି ପଦବୀ ଖାଲି ପଡିଛି । କିଏ ହେବେ ପରବର୍ତ୍ତୀ ସିଡିଏସ ତାକୁ ଚାତପ କକ୍ଷୀ ପରି ଅନାଇ ବସିଛନ୍ତି ଦେଶବାସୀ । କେବଳ ଦେଶବାସୀ ନୁହେଁ ବିଶ୍ବ ମହାଶକ୍ତିଙ୍କଠାରୁ ଆରମ୍ଭ କରି ପ୍ରତିଟି ଦେଶର ନଜର ଏବେ ଭାରତର ପରବର୍ତ୍ତୀ ସିଡିଏସଙ୍କ ଉପରେ । ଏହାରି ଭିତରେ ପରବର୍ତ୍ତୀ ସିଡିଏସଙ୍କ ନିଯୁକ୍ତିକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଉଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଗତ ଡିସେମ୍ବର 8 ତାରିଖରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ ରାଓ୍ବତଙ୍କ ଦେହାନ୍ତ ପରଠାରୁ ସେନାମୁଖ୍ୟ ଜେନେରାଲ ଏମଏମ ନରଓ୍ବାଣେ ସିଡିଏସଙ୍କ କେତେକ ଦାୟିତ୍ବ ବହନ କରିଆସୁଛନ୍ତି । ଚିଫସ୍ ଅଫ ଷ୍ଟାଫ କମିଟିର ଅଧ୍ୟକ୍ଷ ଭାବେ ସେ ଏବେ ଦାୟିତ୍ବ ସମ୍ପାଦନ କରୁଛନ୍ତି । ଏହି କମିଟି ସ୍ଥଳସେନା, ନୌସେନା ଓ ବାୟୁସେନାର ମୁଖ୍ୟଙ୍କୁ ନେଇ ଗଠିତ ଏବଂ ବିଭିନ୍ନ ସାମରିକ ପ୍ରସଙ୍ଗ ସମ୍ପର୍କରେ ଏହି କମିଟି ନିଷ୍ପତ୍ତି ନେଇଥାଏ । ଗତ 2020 ଜାନୁଆରୀ 1 ତାରିଖରେ ସିଡିଏସ ପଦବୀ ସୃଷ୍ଟି କରାଯାଇଥିବା ବେଳେ ଏହାର ପ୍ରଥମ ମୁଖ୍ୟ ହୋଇଥିଲେ ବିପିନ ରାଓ୍ବତ । ବର୍ତ୍ତମାନ ତିନି ବାହିନୀର ମୁଖ୍ୟଙ୍କ ମଧ୍ୟରୁ ସବୁଠାରୁ ବୟସ୍କ ହେଉଛନ୍ତି ନରଓ୍ବାଣେ । ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ଭି.ଆର. ଚୌଧୁରୀ ଓ ନୌସେନା ମୁଖ୍ୟ ଆଡମିରାଲ ଆର. ହରିକୁମାର ଜେନେରାଲ ନରଓ୍ବାଣେଙ୍କ ଠାରୁ 2 ବର୍ଷ ଜୁନିଅର । ସେପଟେ ଆସନ୍ତା ବର୍ଷ ଏପ୍ରିଲରେ ଅବସର ନେବେ ନରଓ୍ବାଣେ । ଯଦି ନରଓ୍ବାଣେଙ୍କୁ ସିଡିଏସ କରାଯାଏ, ତେବେ ଉପସେନାମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ତାଙ୍କ ସ୍ଥାନ ନେଇପାରନ୍ତି । ଚଣ୍ଡୀ ପ୍ରସାଦଙ୍କ ପରେ ବରିଷ୍ଠତା ଭିତ୍ତିରେ ପରବର୍ତ୍ତୀ ଅଫିସର ହେବେ ନର୍ଦର୍ଣ୍ଣ ଆର୍ମି କମାଣ୍ଡର ଲେଫଟନାଣ୍ଟ ଜେନେରାଲ ଓ୍ବାଇ.କେ. ଯୋଶୀ ।

Leave a Reply