ନେତାଙ୍କୁ ଘାରିଲାଣି ଡିପଫେକ୍ ଭିଡ଼ିଓ ଚିନ୍ତା

ଭୁବନେଶ୍ବର: ନେତାଙ୍କୁ ଘାରିଲାଣି ଡିପଫେକ୍ ଭିଡ଼ିଓ ଚିନ୍ତା । ସାଇବର ଠକ ବ୍ଲାକମେଲ ପରେ କରିପାରନ୍ତି ବଦନାମ । ଠକଙ୍କୁ ମାତ୍ ଦେବା ପାଇଁ ଅଣ୍ଟା ଭିଡ଼ିଛି କମିଶନରେଟ ପୋଲିସ । ସଫ୍ଟଓ୍ବେର କମ୍ପାନୀର ସାଇବର ଏକ୍ସପର୍ଟ ପୋଲିସକୁ ଦେବେ ତାଲିମ । ଦେଖନ୍ତୁ ୨୦୨୪ ରେ ସାଇବର ଚ୍ୟାଲେଞ୍ଜକୁ ନେଇ କଣ ରହିଛି କମିଶନରେଟ ପୋଲିସର ରଣନୀତି।

ସାଧାରଣ ନିର୍ବାଚନ ପୂର୍ବରୁ ଚିନ୍ତା ବଢାଇଲାଣି ଡିପ୍ ଫେକ ଭିଡିଓ । ବଦଳିଯିବ ଚେହେରା, ବଦନାମ ହେବେ ନେତା ! ପର୍ଣ୍ଣ ଭିଡିଓ ବନାଇବା ଏବେ ହୋଇଯାଇଛି ସହଜ । ସାଇବର ଠକେଇକୁ ରୋକିବା ପାଇଁ କମିଶନରେଟ ପୋଲିସର ବ୍ଲୁପ୍ରିଣ୍ଟ । ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ କ୍ୟାଟ୍ରିନା କୈଫଙ୍କ ଡିପ୍‌ଫେକ୍ ଫଟୋ ଓ ଭିଡିଓ ଭାଇରାଲ୍ ହେବା ପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାରକୁ ନେଇ ବଢ଼ିଛି ଚିନ୍ତା । ଜଣେ ବ୍ୟକ୍ତିଙ୍କ ଶରୀରରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୁହଁକୁ ରଖି କରାଯାଉଥିବା ଚିତ୍ର ବା ଭିଡିଓ ଯେଉଁ ପ୍ରଯୁକ୍ତି ମାଧ୍ୟମରେ ତିଆରି କରାଯାଉଛି ତାହାକୁ କମ୍ପ୍ୟୁଟର ବିଜ୍ଞାନ ଭାଷାରେ ଡିପଫେକ୍‌ କୁହାଯାଉଛି । ଆଗକୁ ଓଡ଼ିଶାରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ । ତେଣୁ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଫେକ ଫଟୋ ଭିଡ଼ିଓ ଭାଇରାଲ ହେବାର ସମ୍ଭାବନା ଥିବାରୁ ଏବେଠୁ ସଜାଗ ହୋଇଛି କମିଶନରେଟ ପୋଲିସ ।

ସେପଟେ ଇଣ୍ଟରନେଟରେ ପାଖାପାଖି ୧ ଲକ୍ଷ ଡିପଫେକ ପର୍ଣ୍ଣ ଭିଡିଓ ମହଜୁଦ ରହିଥିବା ବେଳେ କିଛିଦିନ ହେବ ପ୍ରତିଦିନ ଶହେରୁ ଅଧିକ କ୍ଲିପ ଇଣ୍ଟରନେଟରେ ଅପଲୋଡ କରାଯାଉଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଡିପଫେକ ପର୍ଣ୍ଣଗ୍ରାଫି ଏକ ବ୍ୟବସାୟ ପାଲଟି ଯାଇଛି । ଏସବୁକୁ ଚ୍ୟାଲେଞ୍ଜ ଦେବାପାଇଁ କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ ଫ୍ୟାକ୍ଟ ଚେକ୍ କରିବା ନେଇ ଦିଆଯାଇଛି ତାଲିମ । ଅଫିସରଙ୍କୁ ସହାୟତା କରିବେ ୨୦ ଜଣ ସାଇବର ଏକ୍ସପର୍ଟ। ସଫ୍ଟଓ୍ବେର କମ୍ପାନୀରେ କାମ କରୁଥିବା ଏହି ସାଇବର ଏକ୍ସପର୍ଟ ବିଭିନ୍ନ ଠକେଇ ନେଇ ମଧ୍ୟ ପୋଲିସ ଅଫିସରଙ୍କୁ ଟ୍ରେନିଂ ଦେବେ ବୋଲି କହିଛନ୍ତି ଡିସିପି ।

ସର୍ଭେ ରିପୋର୍ଟ ମୁତାବକ ୨୦୨୨ ତୁଳନାରେ ୨୦୨୩ ରେ ୨୪ ପ୍ରତିଶତ ସାଇବର କ୍ରାଇମ ବଢିଛି । ଏଣୁ କେବଳ ପୋଲିସ ନୁହେଁ ବରଂ ଲୋକେ ନିଜେ ସଚେତନ ହେବାର ସମୟ ଆସିଛି ।