’ଝାରସୁଗୁଡ଼ାରେ ହେବ ବିକାଶର ଦୀପାବଳି’: ଦୀପାଳି ଦାସ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ବଡ଼ ବ୍ୟବଧାନରେ ବିଜୟଲାଭ କରିଛି ବିଜୁ ଜନତା ଦଳ । ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କଠାରୁ ଅଧିକ ଭୋଟ ପାଇଛନ୍ତି ତାଙ୍କ ଝିଅ ତଥା ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧ ଲକ୍ଷ ୭ ହଜାର ୩ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୫୮ ହଜାର ୩୮୪ ଖଣ୍ଡ ଭୋଟ୍‌ ପାଇଛନ୍ତି । ତେବେ ବିଜେଡିର ବିଜୟର ବ୍ୟବଧାନ ମଧ୍ୟ ୨୦୧୯ ନିର୍ବାଚନ ଅପେକ୍ଷା ଅଧିକ ରହିଛି । ବିଜେଡି ୪୮ ହଜାର ୬୧୯ ଖଣ୍ଡରେ ବିଜୟଲାଭ କରିଛି ।

ବୃହତ ବିଜୟ ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ଦୀପାଳି ଦାସ । ଆଜି ଆମ ପରିବାର ପାଇଁ ଏକ ଇମୋସନାଲର ଦିନ । ଆଜି ନବ ଦାସ ପୁଣି ଥରେ ଝାରସୁଗୁଡ଼ା ମାଟିକୁ ଫେରିଆସିଛନ୍ତି ବୋଲି କହିଛନ୍ତି ଦୀପାଳି । ସେ ଆହୁରି କହିଛନ୍ତି କି ଏହି ବିଜୟ ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡିର ସମସ୍ତ ନେତା ଓ କର୍ମୀଙ୍କୁ ଧନ୍ୟବାଦ ଜଣାଉଛି । ବିଜୁ ଜନତା ଦଳ ସବୁବେଳେ ବିକାଶ ପାଇଁ ଲଢ଼ିଛି, ବିକାଶ ପାଇଁ ଠିଆ ହୋଇଛି । ଝାରସୁଗୁଡ଼ା ମାଟିରେ ବିକାଶ ପୁରୁଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦ ପଡ଼ିଛି । ଏହି ଅଞ୍ଚଳରେ ବିକାଶର ଦୀପାବଳି ଜଳିବାରୁ ଆଉ କେହି ଅଟକାଇ ପାରିବେନି । ମୋ ବାପାଙ୍କ ସ୍ୱପ୍ନ ଥିଲା ଝାରସୁଗୁଡ଼ାର ନୂତନ ନିର୍ମାଣ । ତାହାର ସମସ୍ତ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନିଶ୍ଚିତ ଭାବରେ ମୁଁ କରିବି ବୋଲି ବିଜୟ ପରେ କହିଛନ୍ତି ଦୀପାଳି ଦାସ ।