ପୁରୀ ଠାରୁ ୧୮୦ କିମି ଦୂରରେ ‘ଜୱାଦ’, କିଛି ଘଣ୍ଟାରେ ନେବ ଅବପାତର ରୂପ

1 min read
Deep Depression 180 Kms Away From Puri

ଭୁବନେଶ୍ୱର: ସମୁଦ୍ରରେ ଶକ୍ତି ହରାଉଛି ‘ଜୱାଦ’ । ବାତ୍ୟାରୁ ଗଭୀର ଅବପାତରେ ପରିଣତ ହୋଇ ସାରିଥିବା ଜୱାଦ ଆଉ କିଛି ସମୟ ପରେ ଅବପାତରେ ପରିଣତ ହେବ । ଏବେ ଗଭୀର ଅବପାତ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି । ଏହା ଦକ୍ଷିଣ-ଦକ୍ଷିଣପୂର୍ବରେ ଗୋପାଳପୁର ଠାରୁ ୧୩୦ କିଲୋମିଟର ଦୂରରେ ରହିଛି । ସେହିଭଳି ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୮୦ କିଲୋମିଟର ଓ ପାରାଦୀପ ଠାରୁ ୨୭୦ କିଲୋମିଟର ଦୂରରେ ରହିଛି ଗଭୀର ଅବପାତ ।

ଏହା କ୍ରମଶଃ ଉତ୍ତର-ଉତ୍ତରପୂର୍ବକୁ ଗତି କରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ । ଆଜି ମଧ୍ୟାହ୍ନରେ ଅବପାତ ରୂପରେ ପୁରୀ ଉପକୂଳରେ ପହଞ୍ଚିବ । ପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଯାଇ ପରବର୍ତ୍ତୀ ୧୨ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ପ୍ରଭାବରେ ଆଜି ସନ୍ଧ୍ୟା ଯାଏ ପବନର ସର୍ବାଧିକ ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ଏବଂ ଝଟକା ପବନର ବେଗ ୭୦ କିଲୋମିଟର ରହିପାରେ ।

ଆଗାମୀ ୨୪ ଘଣ୍ଟା ଯାଏ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଅବପାତ ପ୍ରଭାବରେ ବର୍ଷା ହେବ । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାକୁ ୟେଲୋ ଆର୍ଲଟ ଜାରି କରାଯାଇଛି ।

କେବଳ ବର୍ଷା ପାଇଁ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, କଟକ, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହା ସହିତ ନୟାଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave a Reply