ଦିଲ୍ଲୀରେ ବଢ଼ିଚାଲିଛି ବାୟୂ ପ୍ରଦୂଷଣର ମାତ୍ରା, ହୋଇପାରେ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଦିଲ୍ଲୀ ବାୟୁରେ ବିଷ। ନିଶ୍ୱାସ ନେଲେ ନାକ ପୋଡୁଛି। ପ୍ରଦୂଷଣ ରୋକିବା ଲାଗି ଦିଲ୍ଲୀରେ କରାଯାଇପାରେ ଲକଡାଉନ। ଏନେଇ ସମସ୍ତ ଯୋଜନା ଚୂଡାନ୍ତ ହୋଇଛି। ଆଜି  ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବେ ଦିଲ୍ଲୀ ସରକାର। ପରିବେଶ ମନ୍ତ୍ରୀ ଗୋପାଳ ରାଜ କହିଛନ୍ତି ପ୍ରଦୂଷଣ ରୋକିବା ଲାଗି ଦିଲ୍ଲୀ ସରକାର ଏକ ରିପୋର୍ଟ ଆଜି ସର୍ବୋଚ୍ଚ ଅଦାଲତରେ ଦାଖଲ କରିବେ। ଦିଲ୍ଲୀରେ ପ୍ରଦୂଷଣ ଥମିବାର ନାଁ ନେଉ ନଥିବାରୁ ସରକାର ଏହି ପଦକ୍ଷେପ ଗ୍ରହଣ କରିବେ। ସେପଟେ ପୁରୁଣା ଗାଡିର ବ୍ୟବହାର ରୋକିବା ଲାଗି ଅଣ୍ଟାଭିଡିଛି ଦିଲ୍ଲୀ ଟ୍ରାଫିକ ପୋଲିସ।

ସହରରେ ଏହି ଗାଡିଗୁଡିକୁ ଧରିବା ଲାଗି ୧୭୦ ସ୍ଥାନରେ ନିୟୋଜିତ ହୋଇଛନ୍ତି ପୋଲିସ। ସହରର ୧୩ଟି ସର୍ବାଧିକ ପ୍ରଦୂଷଣଜନିତ ହଟସ୍ପଟରେ ଟ୍ରାଫିକ ପୋଲିସ ମୁତୟନ କରାଯାଇଛି। ଆଜିଠାରୁ ସମସ୍ତ ନିର୍ମାଣ କାର୍ଯ୍ୟ ଓ ସ୍କୁଲ ଓ କଲେଜ ଆସନ୍ତା ୧୭ ତାରିଖ ଯାଏଁ ବନ୍ଦ ରହିବ। ସମସ୍ତ ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ କରାଯାଇଛି। ସରକାରୀ ଅଫିସଦପ୍ତରରେ ଓ୍ୱାର୍କ ଫ୍ରମ ହୋମ୍ ନୀତି ଲାଗୁ କରାଯାଇଛି। ତେଣେ ​ଶ୍ୱାସକ୍ରିୟାରେ ଅଧିକ ଲୋକ ସଙ୍କଟର ସମ୍ମୁଖୀନ ହେବା ପରିଲକ୍ଷତ ହୋଇଛି। ବିଶେଷ କରି  ଅଧିକ ସଂଖ୍ୟକ ପିଲାଙ୍କ କ୍ଷେତ୍ରରେ ଏହା ପରିଲକ୍ଷିତ ହେବାରୁ ହସ୍ପିଟାଲରେ ଭିଡ ଜମୁଛି।

ଅଧିକାଂଶ ଲୋକଙ୍କ ଗଳା ପୋଡିବା ବି ପରିଲକ୍ଷିତ ହୋଇଛି। ଏହି ଧରଣର ରୋଗୀଙ୍କ ସଂଖ୍ୟା ୪୦ପ୍ରତିଶତ ବୃଦ୍ଧି ପାଇଛି। ସେପଟେ ହରିୟାଣା ସରକାର ବି ନେଇଛନ୍ତି କଟକଣାମୂଳକ ପଦକ୍ଷେପ। ରାଜ୍ୟର ସମସ୍ତ ସ୍କୁଲକୁ ଆସନ୍ତା ୧୭ ତାରିଖ ଯାଏଁ ବନ୍ଦ ରଖାଯାଇଛି। ସେହିପରି ଗୁରୁଗ୍ରାମ, ଫରିଦାବାଦ, ସୋନିପତ ଓ ଝାଜରରେ ୧୭ ତାରିଖ ଯାଏଁ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ବି ଶ୍ୱାସ୍ଥ୍ୟ  ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।

Leave a Reply