ବିହାରରେ ଜାତିଗତ ଜନଗଣନା ଉପରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିହାରରେ ଜାତିଗତ ଗଣନା ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ ଏଥିସହିତ କହିଛନ୍ତି ଜନଗଣନାର ୮୦  ପ୍ରତିଶତ କାମ ପୂରା ହୋଇଯାଇଛି । ୯୦ ପ୍ରତିଶତ ପୂରଣ ହୋଇଯିବ । କଣ ଫରକ ପଡ଼ୁଛି । ଏବେ ୧୪ ଅଗଷ୍ଟରେ ସୁପ୍ରିମକୋର୍ଟରେ ଏହି ମାମଲା ଉପରେ ଆଗାମୀ ଶୁଣାଣି ହେବ । ୧ ଅଗଷ୍ଟରେ ପାଟନା ହାଇକୋର୍ଟ ଜାତିଗତ ଗଣନାକୁ ଚ୍ୟାଲେଞ୍ଜ କରୁଥିବା ସମସ୍ତ ଆବେଦନକୁ ଖାରଜ କରିଦେଇଥିଲେ । କୋର୍ଟ ନିଜ ଆଦେଶରେ କହିଥିଲେ ଯେ ସରକାର ଯଦି ଚାହାଁନ୍ତି ତେବେ ଗଣନା କରିପାରିବେ ।

ଏପଟେ ହାଇକୋର୍ଟଙ୍କ ରାୟର କିଛି ଘଣ୍ଟା ପରେ ହିଁ ସରକାର ଜାତିଗତ ଜନଣନାକୁ ନେଇ ଆଦେଶ ଜାରି କରିଥିଲେ । ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଆଦେଶ ଦେଇଥିଲେ ଯେ ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ବିହାରରେ ଜାତି ଆଧାରିତ ଗଣନା ୨୦୨୨ର ଅଟକିଥିବା କାମ ପୁଣିଥରେ ଆରମ୍ଭ କରାଯାଉ । ପ୍ରକାଶଥାଉକି, ଗତ ବର୍ଷ ଜାତିଗତ ଗଣନାର ଆଦେଶ ଦିଆଯାଇଥିଲା ଏବଂ ବିହାର ସରକାରଙ୍କ ଅନୁସାରେ ଏହା ଶେଷ ପର୍ଯ୍ୟାୟରେ ଅଛି ।