ଶ୍ରୀମନ୍ଦିର ପ୍ରବେଶ ପାଇଁ ଶାଳୀନତା ପୂର୍ଣ୍ଣ ପୋଷାକ ପରିଧାନ ନେଇ ଶ୍ରଦ୍ଧାଳୁଙ୍କୁ କରାଗଲା ସଚେତନ

ପୁରୀ: ଦେଶରେ ଅନ୍ୟାନ୍ୟ ହିନ୍ଦୁ ମନ୍ଦିର ଭଳି ପୁରୀ ଶ୍ରୀମନ୍ଦିରରେ ବି ଶାଳୀନତା ପୂର୍ଣ୍ଣ ପୋଷାକ ପରିଧାନ କରି ପ୍ରବେଶ ଉପରେ ନିଆଯାଇଛି ନିଷ୍ପତ୍ତି । ଶ୍ରୀଜଗନ୍ନାଥ ଧାମକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ପୋଷାକ ପରିଧାନ ଦିଗରେ ଯତ୍ନବାନ ହେବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି ଜନ ସଚେତନତା । ଜାନୁଆରୀରୁ କଡାକଡି ଭାବେ ପାଳନ ହେବ ନିୟମ । ପ୍ରଶାସନର ଏଭଳି ନିଷ୍ପତ୍ତିକୁ ସାଧାରଣରେ ସ୍ୱାଗତ କରାଯାଇଛି ।

ଚାରିଧାମ ମଧ୍ୟରୁ ଅନ୍ୟତମ ଧାମ ଶ୍ରୀକ୍ଷେତ୍ର । ସେଥିପାଇଁ ପୁରୀକୁ ସବୁ ସମୟରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୂଅ ଛୁଟିଥାଏ । ହେଲେ ଅଶାଳୀନ ପୋଷାକ ପରିଧାନ କରି ଆସିବାରୁ ଏହା ଧାର୍ମିକ ଭାବନା ଉପରେ ନକାତ୍ମକ ପ୍ରଭାବ ପକାଉଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ । ସେବାୟତ ନିଯୋଗ ଓ ବୁଦ୍ଧିଜିବୀଙ୍କ ପରାମର୍ଶକ୍ରମେ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ଶାଳୀନତାପୂର୍ଣ ପୋଷାକ ପରିଧାନ କରି ଆସିବାକୁ କୁହାଯାଇଛି ।

ବୈଠକ ନିଷ୍ପତ୍ତି କ୍ରମେ ଆଜିଠାରୁ ଜନ ସଚେତନତା ଆରମ୍ଭ ହୋଇଛି । ଅଧା କଟା, ଚିରା ଫଟା ପୋଷାକ ପରିଧାନ କରି ଆସୁଥିବା ଭକ୍ତମାନଙ୍କୁ ପ୍ରବେଶ ନେଇ କଟକଣା କରାଯିବ । ତେବେ ୧୨ ବର୍ଷରୁ କମ ବୟସ୍କଙ୍କ ପାଇଁ କଟକଣାରେ କୋହଳ ରଖାଯାଇଛି । ପୋଷାକ ପରିଧାନ ନେଇ ଜେଟିପି ଓ ପ୍ରତିହାରୀ ସେବାୟତମାନେ ଧ୍ୟାନ ଦେବେ ।