ଏସିଆନ ଚମ୍ପିଆନ୍ସ ଟ୍ରଫି ହକି: ଶୁକ୍ରବାର ପାକିସ୍ତାନକୁ ଭେଟିବ ଭାରତ

1 min read

ଢ଼ାକା: ବାଂଲାଦେଶର ଢ଼ାକାରେ ଜାରି ରହିଛି ଏସିଆନ ଚମ୍ପିଆନ୍ସ ଟ୍ରଫି ହକି । ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିବା ପରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳୁଛି ଟିମ୍ ଇଣ୍ଡିଆ । ଢ଼ାକାରେ ଚାଲୁଥିବା ଏହି ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ଶୁକ୍ରବାର ଭାରତ ତା’ର ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ । ୨୦୧୮ ଏସିଆନ ଚମ୍ପିଆନ୍ସ ଟ୍ରଫିର ଯୁଗଳ ବିଜେତା ଭାତର-ପାକିସ୍ତାନ ପୁଣି ଥରେ ଏସିଆନ ଚମ୍ପିଆନ୍ସ ଟ୍ରଫିରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଏପର୍ଯ୍ୟନ୍ତ ଉଭୟ ଦଳ ୮ ଥର ମୁହାଁମୁହିଁ ହୋଇଥିଲେ । ଭାରତ ୪ଟି ମ୍ୟାଚ ନିଜ ନାମରେ କରିଥିବାବେଳେ ୨ଟି ମ୍ୟାଚରେ ବିଜୟ ହାସଲ କରିଛି ପାକିସ୍ତାନ ଓ ୨ଟି ମ୍ୟାଚ ଡ୍ର’ ରହିଛି । ତେବେ ଆସନ୍ତାକାଲି ହେବାକୁ ଥିବା ଭାରତ-ପାକିସ୍ତାନ ମହାମୁକାବିଲାରେ ଭାରତ ବିଜୟ ଲାଭ କରି ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଥିବା ବିଜୟ ରେକର୍ଡକୁ ବଜୟ ରଖିବାକୁ ଚେଷ୍ଟା କରିବ ।

ଅନ୍ୟପକ୍ଷରେ ଚଳିତ ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ଭାରତ ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚ ଖେଳିଛି । ପ୍ରଥମ ମ୍ୟାଚରେ ଭାରତ ଭେଟିଥିଲା ଡିଫେଣ୍ଡିଂ ଚମ୍ପିଆନ କୋରିଆକୁ । ଏହି ମ୍ୟାଚ ୨-୨ରେ ଡ୍ର’ ରହିଥିଲା । ପ୍ରଥମ ମ୍ୟାଚ ଡ୍ର’ ରହିବା ଫଳରେ ବୁଧବାର ଦ୍ୱିତୀୟ ମ୍ୟାଚରେ ଭାରତ ଭେଟିଥିଲା ଆୟୋଜକ ବାଂଲାଦେଶକୁ । ଏହି ମ୍ୟାଚକୁ ୯-୦ରେ ବଡ଼ ବ୍ୟବଧାନରେ ନିଜ ନାମରେ କରିଥିଲା ଟିମ୍ ଇଣ୍ଡିଆ । ଦୁଇଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ମ୍ୟାଚରେ ଡ୍ର’ ସହ ଭାରତ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି । ସେହିପରି ଭାବରେ ପାକିସ୍ତାନ ଗୋଟିଏ ମ୍ୟାଚ ଖେଳି ଡ୍ର’ ସହ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି ।

Leave a Reply