ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ, ଜନସେବା ମନ୍ତ୍ରକୁ ତୃଣମୂଳ ସ୍ତରରେ ଅଧିକ ଗୁରୁତ୍ବ ଦେବାକୁ ରୋଡମ୍ୟାପ୍

ଭୁବନେଶ୍ବର: ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ । ଲୋକପ୍ରିୟ ଓ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ସାରାଦେଶରେ ବିଜେଡି ମାନ୍ୟତା ପାଇଛି । ପ୍ରତିଷ୍ଠା ଦିବସକୁ ଜନସେବା ଉତ୍ସବ ଭାବେ ପୂରା ରାଜ୍ୟରେ ପାଳନ କରିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ନବୀନ ପଟ୍ଟନାୟକଙ୍କ ୨୬ ବର୍ଷର ଜନସେବାକୁ ତ୍ବରାନ୍ବିତ ଓ ଅଧିକ ବ୍ୟାପକ କରିବ ଦଳ । ପ୍ରତିଷ୍ଠା ଦିବସରେ ବିଜେଡି ନେତା ଓ କର୍ମୀଙ୍କୁ ୨୪ ନିର୍ବାଚନ ପାଇଁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେବେ ।

ପ୍ରତିଷ୍ଠା ଦିବସ ପାଇଁ ବିଜେଡିର ପ୍ରସ୍ତୁତି । ଖୁବଶୀଘ୍ର ବସିବ ଦଳୀୟ ପଦାଧିକାରୀ ବୈଠକ । ୧୯୯୭ ଡିସେମ୍ବର ୨୬ ତାରିଖରେ ପ୍ରତିଷ୍ଠା ହୋଇଥିଲା ବିଜେଡି । ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତ ହେବ ରୋଡମ୍ୟାପ୍ । ଜନସେବାକୁ ଅଧିକ ତ୍ବରାନ୍ବିତ ଓ ବ୍ୟାପକ କରିବା ଉପରେ ଫୋକସ୍ । ଜନସେବାରେ ଆଉ ଏକ ବର୍ଷ ଅତିକ୍ରମ କରିବ ବିଜେଡି । ୨୬ ବର୍ଷର ଜନସେବା ମନ୍ତ୍ରକୁ ଦଳ ତୃଣମୂଳ ସ୍ତରରେ ଅଧିକ ଗୁରୁତ୍ବ ଦେବାକୁ ପ୍ରତିଷ୍ଠା ଦିବସରେ ରୋଡମ୍ୟାପ୍ ପ୍ରସ୍ତୁତ କରିବ । ଜିଲ୍ଲାରୁ ରାଜ୍ୟ ସ୍ତରଯାଏ ପ୍ରତିଷ୍ଠା ଦିବସ ପାଳନ କରିବାକୁ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି । ଖୁବଶୀଘ୍ର ଦଳୀୟ ପଦାଧିକାରୀ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ଗଠିତ ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦେଶରେ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ଗ୍ରହଣୀୟ ହୋଇଛି । ଓଡ଼ିଶାବାସୀ ସବୁ ନିର୍ବାଚନରେ ବିଜେଡିକୁ ଆଶୀର୍ବାଦ କରୁଛନ୍ତି । ତେଣୁ ବିଜେଡି ପ୍ରତିଷ୍ଠା ଦିବସକୁ ଓଡ଼ିଶାବାସୀ ଜନସେବା ଉତ୍ସବ ଭାବେ ପାଳନ କରିବେ ବୋଲି ଦଳର ନେତାମାନେ କହିଛନ୍ତି ।

ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ବିଜେଡି ଘରେଘରେ ପହଞ୍ଚାଇଛି। ତୃଣମୂଳ ସ୍ତରରୁ ଜନସେବାକୁ ଗୁରୁତ୍ବ ଦେଇ ଓଡ଼ିଶାବାସୀଙ୍କ ସୁଖଦୁଃଖର ସାଥୀ ହୋଇଛି ବିଜେଡି । ରୂପାନ୍ତରଣ ପଥରେ ଆଗକୁ ଚାଲିଥିବା ଓଡ଼ିଶା ଏବେ ପୂରା ଦେଶର ରୋଲ୍‌ ମଡେଲ ସାଜିଛି । ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ଭିତ୍ତିଭୂମି, ପର୍ଯ୍ୟଟନ, ଆଇଟି, କୃଷିକ୍ଷେତ୍ରରେ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି ଓଡ଼ିଶା । ବିକଶିତ ଓଡ଼ିଶା ନିର୍ମାଣ ପ୍ରକ୍ରିୟା ଜାରି ରହିଛି । ପ୍ରତିଷ୍ଠା ଦିବସରେ ଏସବୁ ଆଲୋଚନା ସହ ୨୦୨୪ ନିର୍ବାଚନ ପାଇଁ ବିଜେଡି ରାଜନୈତିକ ଖସଡ଼ା ପ୍ରସ୍ତୁତ କରିବ ।

ଅପ୍ରତିଦ୍ବନ୍ଦ୍ବୀ ଆଞ୍ଚଳିକ ଦଳ ଭାବେ ବିଜେଡି ଉଭା ହୋଇଛି । ୨୦୨୪ରେ ନିର୍ବାଚନ ଥିବାରୁ ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାବାସୀଙ୍କ ହକ୍‌ ପାଇଁ ଲଢୁଥିବା ବିଜେଡି ଏବେ ରାଜନୈତିକ ଦଳ ନୁହେଁ, ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ।