ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୃତ ସହଦେଵ ନାୟକଙ୍କ ପରିବାର: ପୀଡ଼ିତ ପରିବାରକୁ ପଚାଶ ହଜାର ଟଙ୍କା ସହାୟତା ଦେଲେ ବିଜେଡି ସୁପ୍ରିମୋ
1 min readଭୁବନେଶ୍ବର: ଚଳିତ ଜାନୁଆରୀ ୮ ତାରିଖ ସକାଳେ ପ୍ରବାସୀ ଭାରତୀୟ ଦିବସ ପାଇଁ ଉତ୍ସବ ମୁଖର ଥିବା ଭୁବନେଶ୍ୱରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ରସୁଲଗଡ଼ fly overରେ ଘଟିଥିବା ଭୁବନେଶ୍ୱର ମହାନଗର ନିଗମ sanitary supervisor ସହଦେଵ ନାୟକଙ୍କ ନିର୍ମମ ହତ୍ୟା ଘଟଣା । କଡା ସୁରକ୍ଷା ବଳୟରେ ଥିବାବେଳେ ଭୁବନେଶ୍ୱରରେ ଏପରି ଵୀଭତ୍ସ ହତ୍ୟାକାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା ।
ତେବେ ହତ୍ୟାର ଶିକାର ହୋଇଥିବା ସହଦେଵ ନାୟକଙ୍କ ବିଧବା ପତ୍ନୀ ଓ ଦୁଇ ଝିଅ ଆଜି ସନ୍ଧ୍ୟାରେ ନବୀନ ନିବାସ ଆସି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ସ୍ୱାମୀଙ୍କ ନୃଶଂସ ହତ୍ୟାରେ ସମ୍ପୃକ୍ତ ସମସ୍ତଙ୍କୁ କଠୋର ଶାସ୍ତି ଦାବୀ ଜଣାଇଥିଲେ । ଶ୍ରୀ ପଟ୍ଟନାୟକ ସ୍ବର୍ଗତ ସହଦେଵ ନାୟକଙ୍କ ପତ୍ନୀ ଓ ପିଲା ମାନଙ୍କୁ ସାନ୍ତ୍ୱନା ଦେବା ସହ ଏ ଦାରୁଣ ବିପତ୍ତି ସମୟରେ ସେ ତାଙ୍କ ସହ ଅଛନ୍ତି ଓ ତାଙ୍କୁ ସମସ୍ତ ସାହାଯ୍ୟ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଜଘନ୍ୟ ହତ୍ୟା ଘଟଣାକୁ କଡା ନିନ୍ଦା କରିବା ସହ ତାଙ୍କ ପରିବାରଙ୍କୁ ଯେପରି ନ୍ୟାୟ ମିଳିବ ସେଥିପାଇଁ ସେ ଲଢେଇ କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଶୁଦ୍ଧି କର୍ମ ପାଇଁ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ସ୍ବର୍ଗତ ନାୟକଙ୍କ ପରିବାରକୁ ପଚାଶ ହଜାର ଟଙ୍କାର ସହାୟତା ସହଦେବଙ୍କ ପତ୍ନୀଙ୍କୁ ପ୍ରଦାନ କରିଥିଲେ । ଏହି ସାକ୍ଷାତ ସମୟରେ BMC mayor ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସମେତ କର୍ପୋରେଟରମାନେ ଉପସ୍ଥିତ ଥିଲେ ।
ଉଲ୍ଲେଖ ଯୋଗ୍ୟ ଯେ, ହତ୍ୟାର ଦୁଇ ଦିନ ପୂର୍ବରୁ ସ୍ବର୍ଗତ ନାୟକ ତାଙ୍କ ପରିବାର ସହ ନବୀନ ନିବାସ କୁ ଯାଇ ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଥିଲେ । ସୂଚନା ଯୋଗ୍ୟ ଯେ BMC ର ହସ୍ତକ୍ଷେପ କ୍ରମେ ସ୍ବର୍ଗତ ନାୟକଙ୍କୁ ସେ କାମ କରୁଥିବା ଠିକା ସଂସ୍ଥା ପାଞ୍ଚ ଲକ୍ଷ ଟଙ୍କା ସହାୟତା ସହ ପରିବାରର ଜଣକୁ ଚାକିରୀ ବିଷୟ ଗତକାଲି BMC ପକ୍ଷରୁ ଘୋଷଣା କରାଯାଇଥିଲା ।