ଅସ୍ଥାୟୀ ପୋଲ ସାଜିଛି ଯାତାୟତର ମାଧ୍ୟମ, ହନ୍ତସନ୍ତ ଗ୍ରାମବାସୀ

ଦେବଗଡ଼: ପକ୍କା ପୋଲ ଭାଙ୍ଗିଯିବା ପରେ ହନ୍ତସନ୍ତ ଗ୍ରାମବାସୀ । ଅସ୍ଥାୟୀ କାଠ ପୋଲ ଦେଇ ଯିବା ଆସିବା କରୁଛନ୍ତି ପିଲାରୁ ବୟସ୍କ। ସେଇ ରାସ୍ତା ଦେଇ ଯିବାକୁ ହୁଏ  ସ୍କୁଲ ଏବଂ ବଜାର । କେତେବେଳେ ଏହି କାଠ ପୋଲ ଭାଙ୍ଗି ଅଘଟଣ ଘଟିବ ତାହା କହିବା ମୁସକିଲ୍ । ଦେବଗଡ଼ ତିଳେଇବଣି ବ୍ଲକ ଦେଓଶୁଙ୍କୁଳି ଗାଁରୁ ଆସିଛି ଏଭଳି ଖବର । ୪ ବର୍ଷ ହେବ ଏଠାରେ ପକ୍କା ପୋଲ ଭାଙ୍ଗିଯିବା ପରେ ଏଇ କାଠ ପୋଲ ସାଜିଛି ଲୋକଙ୍କ ଦୈନ୍ଦନ୍ଦିନ ଯିବା ଆସିବାର ବିପଦପୂର୍ଣ୍ଣ ମାଧ୍ୟମ ।

ଗାଁର ପକ୍କା ପୋଲ ଭାଙ୍ଗିଯିବାରୁ ଧସିବାରେ ଲାଗିଛି ମାଟି ଅତଡ଼ା । ଯାହାଫଳରେ ଗାଁକୁ ଆମ୍ବୁଲାନ୍ସ ପହଞ୍ଚିପାରୁନି । ଜରୁରୀକାଳିନ ସେବାରୁ ବଞ୍ଚିତ ହେଉଛନ୍ତି ରୋଗୀ । ଉତ୍ପାଦିତ ଧାନ ଚାଉଳ ହେଉ କି ପନିପରିବା ବଜାରକୁ ବିକ୍ରି ପାଇଁ ନେବାରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ ପରେ ବି ଏପର୍ଯ୍ୟନ୍ତ କୌଣସି ସୁବିଧା ହୋଇପାରିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗାଁରେ ରାସ୍ତା ଓ ପୋଲ ନିର୍ମାଣ ପାଇଁ ବିଭାଗୀୟ ମଞ୍ଜୁରୀ ପାଇଁ ପଠା ଯାଇଥିଲେ ମଧ୍ୟ ଅର୍ଥ ଅଭାବ କାରଣରୁ ଏହା ନିର୍ମାଣ କରାଯାଇ ପାରିନଥିବା କହିଛନ୍ତି ତିଳେଇବଣି ବ୍ଲକ ସହକାରୀ ଯନ୍ତ୍ରୀ  ।