ମୃତ୍ୟୁର ନୂଆ ଠିକଣା ‘ରେଳ ଧାରଣା’

ଭୁବନେଶ୍ବର: ଭାରତୀୟ ଗମନାଗମନର ମୁଖ୍ୟ ମାଧ୍ୟମ ହେଉଛି ରେଳ । ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଯାତାୟତ ପାଇଁ ରେଳ ଉପରେ ନର୍ଭର କରିଥାନ୍ତି । ଦୁର୍ଘଟଣା ଘଟି ଜୀବନ ଯିବା ଭିନ୍ନ କଥା । ହେଲେ ଦୁଃସାହସିକ ଭିଡିଓ, ଟ୍ରେନ ବଗିରେ ଷ୍ଟଣ୍ଟ ଓ ଅନ୍ୟାନ୍ୟ କାରଣ ପାଇଁ ମୃତ୍ୟୁର ଠିକଣା ପାଲଟିଛି ରାଜଧାନୀର ରେଳ ଧାରଣା । ଲିଙ୍ଗରାଜ ଷ୍ଟେସନ ରୋଡ଼ଠାରୁ ମଞ୍ଚେଶ୍ବର ମଧ୍ୟରେ ଏହି କାରଣରୁ ୫ ବର୍ଷରେ ଯାଇଛି ୩୮୨ ମୁଣ୍ଡ ।

ମରଣକୁ ଡାକୁଛି ରାଜଧାନୀର ରେଳଧାରଣା । ୫ ବର୍ଷରେ ୩୮୨ ଜଣଙ୍କ ଜୀବନ ଯାଇଥିବା ବେଳେ ରହସ୍ୟ ଘେରରେ ରହିଛି ୧୪୩ ଜଣଙ୍କ ମୃତ୍ୟୁ ଘଟଣା । ସବୁ ଘଟଣାରେ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଚୁପ୍ । ସ୍ବାମୀ ସ୍ତ୍ରୀ ମନୋମାଳିନ୍ୟ ହଉ ବା ପାରିବାରିକ ଅଶାନ୍ତି, ସାମାନ୍ୟ କଥାରେ ରେଳ ଧାରଣାକୁ ମୃତ୍ୟୁର ରାସ୍ତାକୁ ବାଛୁଛନ୍ତି ରାଜଧାନୀବାସୀ ।

ଆଉ କିଛି ଯୁବକ ଦୁଃସାହସିକ ଷ୍ଟଣ୍ଟ ଓ ଭିଡିଓ ବନାଇବାକୁ ଯାଇ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ଟ୍ରେନ୍ ଲାଇନ କଡରେ ଛତୁ ଫୁଟିବା ଭଳି ବସ୍ତି ଗଢି ଉଠିବା ମଧ୍ୟ ଵିପଜ୍ଜନକ ସାବ୍ୟସ୍ତ ହେଉଛି । ଚଳନ୍ତା ଟ୍ରେନରୁ କୋଇଲା ଚୋରି, ଶୌଚ ହେବାକୁ ଯିବା ବେଳେ ଗଡୁଛି ମୁଣ୍ଡ । ଲିଙ୍ଗରାଜ ଷ୍ଟେସନ ରୋଡ଼ରୁ ମଞ୍ଚେଶ୍ବର ମଧ୍ୟରେ ୧୧ଟି ସ୍ଥାନକୁ ବ୍ଲାକସ୍ପଟ୍ ଚିହ୍ନଟ କରାଯାଇଛି ।

ଗମ୍ଭୀର ବିଷୟ ହେଉଛି ଏହି ୫ ବର୍ଷ ମଧ୍ୟରେ ୧୪୩ ଜଣଙ୍କ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ମୃତଦେହକୁ ରେଳଧାରଣାକୁ ଫିଙ୍ଗା ଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ଜିଆରପି ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍ ବସୁଛି । ହତ୍ୟା ପ୍ରମାଣ ମିଳିଲେ ମଧ୍ୟ ଅଭିଯୁକ୍ତ ପାଖରେ ପହଞ୍ଚି ପାରୁନାହିଁ ପୋଲିସ୍ । ଅନ୍ୟ କେତେକ କ୍ଷେତ୍ରରେ କମିଶନରେଟ ପୋଲିସ ଅନ୍ତର୍ଗତ ବିଭିନ୍ନ ଥାନା ଓ ଜିଆରପି ମଧ୍ୟରେ ସୀମା ବିବାଦ କାରଣରୁ ଦୋଷୀକୁ ଦଣ୍ଡ ମିଳିବା ତ ଦୂରର କଥା, ଖଣ୍ଡ ବିଖଣ୍ଡିତ ଶବ ମଧ୍ୟ ରେଳ ଧାରଣାରୁ ଉଠିପାରୁନାହିଁ ।

ଷ୍ଟେସନକୁ ବିଶ୍ବସ୍ତରୀୟ କରିବା ପାଇଁ ପ୍ରଶାସନ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ ଏହାର ଚତୁଃପାର୍ଶ୍ଵ କିଭଳି ଅପରାଧ ମୁକ୍ତ ରହିବ, ସେ ନେଇ ଚିନ୍ତାର ସମୟ ଆସିଛି ।

Leave a Reply