ମିଆଁମାର ଭୂକମ୍ପ: ମୃତ୍ୟୁସଂଖ୍ୟା ୧୬ ଶହ ଟପିଲା

1 min read

ନନ୍ଦିଘୋଷ ବ୍ୟୁରୋ: ମିଆଁମାର ଭୂକମ୍ପରେ ବଢ଼ିବାରେ ଲାଗିଛି ମୃତ୍ୟୁ ସଂଖ୍ୟା । ୧୬ ଶହରୁ ଅଧିକ ମୃତଦେହ ଉଦ୍ଧାର ହୋଇ ସାରିଛି । ଏବେ ବି ଧ୍ବଂସାବଶେଷ ତଳେ ବହୁ ଲୋକ ଫସି ରହିଛନ୍ତି । ଏମିତି ସ୍ଥିତିରେ ମୃତ୍ଯୁସଂଖ୍ଯା ୧୦ ହଜାର ଟପିବ ବୋଲି ଆଶଙ୍କା କରାଯାଉଛି । ଏବେ ବି ଦେଶର ବିଭିନ୍ନ ଭାଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଧ୍ବଂସସ୍ତୂପ ତଳୁ ମୃତଦେହ ବାହାରୁଥିବାରୁ ପ୍ରକୃତ ସଂଖ୍ୟା ଆକଳନ କରିବା କଷ୍ଟସାଧ୍ଯ ହୋଇଛି । ଗତ ୨୮ରେ ଲାଗ ଲାଗ ୨ଟି ଭୂକମ୍ପ ହୋଇଥିଲା ବେଳେ ଗତକାଲି ପୁଣି ଭୂକମ୍ପ ଝଟକା ଯୋଗୁଁ କ୍ଷୟକ୍ଷତି ଅଧିକ ହୋଇଛି । ଦେଶବାସୀଙ୍କୁ ସହାୟତା ଦେବା ଲାଗି ଆହ୍ବାନ ଦେଇଛନ୍ତି ଜୁଣ୍ଟା ଶାସକ ମିନ ଅଙ୍ଗ ହାଇଙ୍ଗ ।

ସେପଟେ ଥାଇଲାଣ୍ଡରେ ବି ନାହିଁ ନଥିବା କ୍ଷତି କରିଛି ଭୂକମ୍ପ । ଧୂଳିସାତ ହୋଇଛି ଅନେକ କୋଠା ଓ ବ୍ରିଜ । ରାଜଧାନୀ ବ୍ୟାଙ୍କକରେ ୨ ହଜାରରୁ ଅଧିକ କୋଠା କ୍ଷତିଗ୍ରସ୍ତ ହୋଇଛି । ବ୍ୟାଙ୍କକର ଚାଟୁଛକ ମାର୍କେଟରେ ୧୦୦ରୁ ଅଧିକ ଶ୍ରମିକ ପୋତି ହୋଇଥିବା ଆଶଙ୍କା କରାଯାଉଛି ।

ମିଆଁମାରକୁ ସହାୟତାର ହାତ ବଢ଼ାଇଛି ଭାରତ । ‘ଅପରେସନ ବ୍ରହ୍ମା’ରେ ମିଆଁମାରକୁ ଭାରତ ପଠାଇଛି ଔଷଧ, ଖାଦ୍ୟ ପଦାର୍ଥ ସମେତ ୧୫ ଟନ ରିଲିଫ ସାମଗ୍ରୀ । ସେହିପରି ଆଇଏନଏସ ସତପୁରା ଓ ଆଇଏନଏସ ସାବିତ୍ରୀରେ ପଠାଯାଇଛି ୪୦ ଟନ ସାମଗ୍ରୀ । ବାୟୁସେନା ବାହିନୀର ସି-୧୩୦ ଏୟାରକ୍ରାଫରେ ବି ଯାଇଛନ୍ତି ୪୦ ଜଣ ଏନଡିଆରଏଫ ଯବାନ । ମିଆଁମାରକୁ ସହାୟତା ପ୍ରଦାନ ଲାଗି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଜାତିସଂଘ ପକ୍ଷରୁ ୫ ନିୟୁତ ଡଲାର ସହାୟତା ଦିଆଯାଇଛି ।