ବନ୍ୟା ଜଳରେ ଭାସୁଛି ଚୀନ: କାର୍ ପାର୍କିଂରୁ ମିଳିଲା ୩୯ ମୃତଦେହ, ଡ୍ରେନରେ ବୁଡ଼ି ୬ ମୃତ

ଚୀନ: ଚୀନରେ ଭୟହ୍କର ରୂପ ନେଉଛି ବନ୍ୟା । ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇଯାଇଥିବାବେଳେ ଶହ ଶହ ଲୋକଙ୍କ ଜୀବନ ଗଲାଣି । ଗତ କିଛି ଦିନ ହେବ ଚୀନର ହେନାନ୍ ଅଞ୍ଚଳରେ ବନ୍ୟା ତାଣ୍ଡବ ରଚିଛି । ମୂଷଳଧାରାରେ ହୋଇଥିବା ବର୍ଷା କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି ।

ସରକାରୀ ଖବର ଅନୁସାରେ, ହେନାନର ରାଜଧାନୀ ଝାଙ୍ଗଜୋ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଏଠାରେ ୨୯୨ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୪୭ ଜଣ ଏବେବି ନିଖୋଜ ଅଛନ୍ତି । ଏଠାରେ ଥିବା ଏକ କାର ପାର୍କିଂରେ ୩୯ ଜଣଙ୍କ ମୃତଦେହ ମିଳିଛି । ସହରର କିଛି ଡ୍ରେନରେ ମଧ୍ୟ ୬ଜଣ ବୁଡି ପ୍ରାଣ ହରାଇଛନ୍ତି । ଜିନଜିଆଙ୍ଗ୍ ସହରରେ ୭ ଜଣ ପ୍ରାଣ ହରାଇବା ବେଳେ ୩ ଜଣ ନିଖୋଜ ଅଛନ୍ତି ।

ଶୁକ୍ରବାର ସ୍ଥାନୀୟ ଅଧିକାରୀ ମୃତକଙ୍କ ସଂଖ୍ୟା ୯୯ କହିଥିଲେ । ଯାହା ୪୦୦କୁ ବୃଦ୍ଧି ପାଇଛି । ଏବେବି ୫୦ ଜଣ ନିଖୋଜ ଅଛନ୍ତି । ତେବେ ବର୍ଷା ଓ ବନ୍ୟା କାରଣରୁ ୧ କୋଟି ୪୫ ଲକ୍ଷ ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏହାସହ ୯୦ ହଜାର ହେକ୍ଟରରୁ ଅଧିକ ଫସଲ କ୍ଷତିଗ୍ରସ୍ତ ହୋଇଛି । ୩୦୬୦୦ରୁ ଅଧିକ ଘର ଭାଙ୍ଗି ଯାଇଛି ।

ଜୁଲାଇ ୧୬ ପରେ ହେନାନ ପ୍ରାନ୍ତରେ ଅଧିକ ବର୍ଷା ହୋଇଥିଲା । ଝୋଙ୍ଗଝୋରେ ୩ ଦିନରେ ୬୧୭.୧ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସହରର ବାର୍ଷିକ ବର୍ଷାର ପରିମାଣ ସହ ସମାନ । ଅର୍ଥାତ ଘଣ୍ଟା ପ୍ରତି ୨୦୧.୯ ମିମି ବର୍ଷା ହେଉଥିଲା । ଏହି କ୍ଷୟକ୍ଷତି ପାଇଁ ସ୍ଥାନୀୟ ପ୍ରଶାସନକୁ ସମସ୍ତେ ଦାୟୀ କରିଛନ୍ତି ।

Leave a Reply