୩ ଦିନରେ ବୋମାରେ ଉଡାଇ ଦେବାକୁ ଯୋଗୀଙ୍କୁ ଆସିଲା ଧମକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ  । ୟୁପିର ପୋଲିସ କଣ୍ଟ୍ରୋଲ ରୁମ ୧୧୨ ହ୍ୱାଟସଆପ ନମ୍ବରରେ ଆସିଛି ହତ୍ୟା ଧମକ  । ଯେଉଁ ନମ୍ବରରୁ ଧମକ ଆସିଛି ତାହା ଶାହିଦ ଖାନ୍‌ ନାମରେ ରେଜିଷ୍ଟର ହୋଇଛି  । ଧମକ ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି  । ସାଇବର ଓ ସର୍ଭିଲାନ୍ସ ସେଲ୍‌ ମଧ୍ୟ ପୋଲିସକୁ ତଦନ୍ତରେ ସାହାଯ୍ୟ କରୁଛନ୍ତି  ।

ମୋବାଇଲ ନମ୍ବର ଆଧାରରେ ପୋଲିସ ଅଭିଯୁକ୍ତକୁ ଖୋଜୁଛି  । ତାକୁ ଗିରଫ କରିବା ପାଇଁ ପୋଲିସ ଟିମ୍‌ ଗଠନ କରିଛି  । ଅଗଷ୍ଟ ୨ରେ ୟୁପିର ପୋଲିସ ହେଲ୍ପଲାଇନ ନମ୍ବର ୧୧୨ର ହ୍ବାଟସଆପ୍‌କୁ ଯୋଗୀଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲା ଆତତାୟୀ । ମାତ୍ର ୩ ଦିନରେ ଯୋଗୀଙ୍କୁ ବମ୍‌ରେ ଉଡାଇ ଦେବାକୁ ଧମକ ଦେଇଥିଲା ଦୁର୍ବୃତ୍ତ  ।

ଅଭିଯୁକ୍ତର ଲୋକେସନ୍‌କୁ ଟ୍ରାକ କରିବାକୁ ଉଦ୍ୟମ କରୁଛି ପୋଲିସ  । ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୋଲିସ କହିଛି  । ଏହା ପୂର୍ବରୁ ବି ଅନେକ ଥର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ମିଳି ସାରିଛି  ।