ଦେଶରେ ଆଉ ଜଣଙ୍କ ମୁଣ୍ଡ ନେଲା ଓମିକ୍ରନ୍, ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

ନୂଆଦିଲ୍ଲୀ: ସାରା ଦେଶର ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜସ୍ଥାନରେ ଓମିକ୍ରନ ଭୟଙ୍କର ରୂପ ନେବାରେ ଲାଗିଛି । ତେବେ ଓମିକ୍ରନ ଆତଙ୍କ ଭିତରେ ବଢ଼ିଛି ଟେନସନ । ଭାରତରେ ଆଜି ଦ୍ୱିତୀୟ ମୁଣ୍ଡ ନେଇଛି ଓମିକ୍ରନ । ରାଜସ୍ଥାନରେ ଜଣେ ବୃଦ୍ଧ ଓମିକ୍ରନ ଦ୍ୱାରା ମୃତ୍ୟୁ ବରଣ କରିଛନ୍ତି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣଙ୍କ ରାଜସ୍ଥାନର ଉଦୟପୁରର ଅଟନ୍ତି । ଏହି ବୃଦ୍ଧଙ୍କ ବୟସ ୭୩ ଅଟେ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ବ୍ୟକ୍ତିଙ୍କର ଓମିକ୍ରନରେ ମୃତ୍ୟୁ ବରଣ କରିଛନ୍ତି ସେ କରୋନାର ଉଭୟ ଡୋଜ ଟିକା ନେଇଥିଲେ ।

ଏହି ବୃଦ୍ଧଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ୧୫ ଡିସେମ୍ବରରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା ଓ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ତାଙ୍କ ସାମ୍ପ୍ୟୁଲ ଜିନେମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ଜିନେମ ସିକ୍ୱେନ୍ସିଂ ରିପୋର୍ଟରେ ସେ ଓମିକ୍ରନ ଆକ୍ରାନ୍ତ ଥିବା ଜଣାପଡ଼ିଥିଲେ । ତେବେ ଗତକାଲି ତାଙ୍କ କୋଭିଡ ରିପୋର୍ଟ ନେଗେଟିଭ୍ ଆସିଥିଲା । କିନ୍ତୁ ଆଜି ସେ ମୃତ୍ୟୁ ବରଣ କରିଛନ୍ତି । ଏହି ବ୍ୟକ୍ତିଜଣଙ୍କ ମୃତ୍ୟୁ ପରେ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି । ଏହା ବ୍ୟତୀତ ଗତକାଲି ମହାରାଷ୍ଟ୍ରରେ ଭାରତରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା ।

Leave a Reply