ଓଡ଼ିଶା ପ୍ରସଙ୍ଗରେ କମ୍ପୁଛି ଝାଡ଼ଖଣ୍ଡର ନିର୍ବାଚନୀ ମୈଦାନ, ଆମ୍ବ ଟାକୁଆ ମୃତ୍ୟୁ କଥା ଉଠାଇ ରାଜ୍ୟବାସୀଙ୍କୁ ଚେତାଇଲା କଂଗ୍ରେସ

ଭୁବନେଶ୍ବର: ୨୪ ବର୍ଷ ଧରି ଯାହା ହୋଇ ନଥିଲା, ଏବେ ହେଲା । ଓଡ଼ିଶାରେ ବିଜେପି ସରକାରକୁ ଆସୁ ଆସୁ ଆମ୍ଵ ଟାକୁଆ ଖାଇ ଆଦିବାସୀଙ୍କ ମୃତ୍ୟୁ ହୋଇଛି । ଝାଡ଼ଖଣ୍ଡରେ ବି ଯଦି ବିଜେପି ସରକାରକୁ ଆସେ, ତେବେ ଏପରି ଅବସ୍ଥା ହେବ । କାରଣ ବିଜେପି ହେଉଛି ଆଦିବାସୀ ବିରୋଧୀ । ଝାଡ଼ଖଣ୍ଡବାସୀଙ୍କୁ ଏହା ଚେତାଇ ଦେଇଛି କଂଗ୍ରେସ । ତେଣୁ ବିଧାନସଭା ନିର୍ବାଚନରେ ବିଜେପିକୁ ଭୋଟ ଦେବାର ଭୁଲ ନକରି ଇଣ୍ଡିଆ ମେଣ୍ଟକୁ ଭୋଟ ଦେବାକୁ ଆହ୍ଵାନ ଦେଇଛି କଂଗ୍ରେସ ।

ଝାଡ଼ଖଣ୍ଡ ନିର୍ବାଚନରେ ଏପରି ପ୍ରଚାର କରୁଛି କଂଗ୍ରେସ । ଝାଡ଼ଖଣ୍ଡର ୧୮ ପ୍ରତିଶତ ଓଡ଼ିଆ ଭୋଟରଙ୍କୁ ନିଜ ପଟକୁ ଆଣିବାକୁ କଂଗ୍ରେସ ଆପଣାଇଛି ଏହି ରଣନୀତି । ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା କଥା ବି ଉଠାଇଛି କଂଗ୍ରେସ । ଆଉ ଝାଡ଼ଖଣ୍ଡକୁ ଯାଇ ଓଡ଼ିଶାର ବହୁ କଂଗ୍ରେସ ନେତା ପ୍ରଚାର କରିବା ସହ ବିଜେପି ଆସିଲେ ସ୍ଥିତି କ’ଣ ହେବ ତାହା ଚେତାଉଛନ୍ତି ।

ଦାରିଙ୍ଗବାଡିରେ ଆମ୍ଵ ଟାକୁଆ ମୃତ୍ୟୁକୁ ନେଇ କମ୍ପୁଛି ଝାଡ଼ଖଣ୍ଡ ରାଜନୀତି । ସେଠାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ଏହାକୁ ପ୍ରମୁଖ ପ୍ରସଙ୍ଗ କରି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ହେବା ପରେ ଆଦିବାସୀମାନେ କିପରି ଖାଇବାକୁ ନ ପାଇ ଆମ୍ଵ ଟାକୁଆ ଖାଇବାରୁ ମୃତ୍ୟୁ ହୋଇଛି, ତାହା ଝାଡ଼ଖଣ୍ଡବାସୀଙ୍କୁ ବୁଝାଉଛନ୍ତି କଂଗ୍ରେସ ନେତାମାନେ । ସେମାନେ କହୁଛନ୍ତି, ବିଜେପି ହେଉଛି ଆଦିବାସୀ ବିରୋଧୀ, ବିଜେପି ଶାସନରେ ଓଡ଼ିଶାର ଆଦିବାସୀ ବହୁତ ହଇରାଣ ଓ ଅବହେଳିତ ହେଉଛନ୍ତି । ଝାଡ଼ଖଣ୍ଡରେ ବିଜେପି କ୍ଷମତାକୁ ଆସିଲେ, ସେମାନେ ବି ଏପରି ହଇରାଣ ହେବେ ବୋଲି ଭୋଟରଙ୍କୁ ବୁଝାଉଛନ୍ତି ଓଡ଼ିଶାର କଂଗ୍ରେସ ନେତାମାନେ । ଏପରି ସମରସଜ୍ଜା ଇଣ୍ଡିଆ ମେଣ୍ଟକୁ ଜିତାଇବ ବୋଲି ଦଳ ଆଶା କରିଛି । କେବଳ ସେତିକି ନୁହେଁ, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରି କିପରି ଲହୁଲୁହାଣ କରିଛନ୍ତି, ତାହା ବି  ଭୋଟରଙ୍କୁ ବୁଝାଉଛି କଂଗ୍ରେସ ।

ଝାଡ଼ଖଣ୍ଡର ୧୮ ପ୍ରତିଶତ ଭୋଟର ହେଉଛନ୍ତି ଓଡ଼ିଆ । ଶାସନ କ୍ଷମତାକୁ କିଏ ଆସିବ, ଏହି ନିଷ୍ପତ୍ତିରେ ଓଡ଼ିଆ ଭୋଟରଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ତେଣୁ ସେମାନଙ୍କୁ ନିଜ ପଟକୁ ଆଣିବାକୁ ଭିନ୍ନ ପ୍ରକାରର ସମରସଜ୍ଜା କରିଛି କଂଗ୍ରେସ । ମହମ୍ମନ ମୋକିମ, ଜୟଦେବ ଜେନା, ସନ୍ତୋଷ ସିଂ ସାଲୁଜା, ବିଶ୍ଵରଞ୍ଜନ ମହାନ୍ତିଙ୍କ ପରି ଓଡ଼ିଆ ନେତା ଝାଡ଼ଖଣ୍ଡରେ ପ୍ରଚାର କରିଛନ୍ତି । ଏହି ଭୋଟ ବ୍ୟାଙ୍କର ଫାଇଦା ଉଠାଇବାକୁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନ୍ୟ ବିଜେପି ନେତା । ଯୋଗାଣମନ୍ତ୍ରୀ କୃଷ୍ଣପାତ୍ର କହିଛନ୍ତି, ଆମ୍ଵ ଟାକୁଆ ମୃତ୍ୟୁର ପ୍ରଭାବ ଝାଡ଼ଖଣ୍ଡରେ ପଡ଼ିବ ନାହିଁ ।

ଝାଡ଼ଖଣ୍ଡ ନିର୍ବାଚନରେ କେଉଁ ଓଡ଼ିଆ ନେତାଙ୍କ ରଣନୀତି ଅଧିକ ପ୍ରଭାବ ପକାଇବ, କଂଗ୍ରେସର ନା ବିଜେପିର । ଫାଇଦା କିଏ ପାଇବ, ତାହା ତ ସମୟ କହିବ। କିନ୍ତୁ ଓଡ଼ିଶାର ପ୍ରସଙ୍ଗ ଝାଡ଼ଖଣ୍ଡ ରାଜନୀତିକୁ ଆଚ୍ଛାଦିତ କରିବା, ନିଶ୍ଚିତ ଭାବେ ଏକ ନୂଆ ଟ୍ରେଣ୍ଡ କରିଛି । ଝାଡ଼ଖଣ୍ଡବାସୀଙ୍କୁ ପ୍ରଭାବିତ କରିବାକୁ ଜୋରସୋରରେ ପ୍ରଚାର କରୁଛନ୍ତି ଓଡ଼ିଶାର ବିଜେପି ଓ କଂଗ୍ରେସ ନେତା ।

ନଜର ପକାନ୍ତୁ