ତୁର୍କୀ ଭୂମିକମ୍ପରେ ନିଖୋଜ ଭାରତୀୟ ନାଗରିକଙ୍କ ମିଳିଲା ଶବ

ନୂଆଦିଲ୍ଲୀ: ତୁର୍କୀ ଏବଂ ସିରିୟାରେ ଆସିଥିବା ଭୂମିକମ୍ପକୁ ପ୍ରାୟ ୬ ଦିନ ବିତିଯାଇଛି । ଏହି ଭୂମିକମ୍ପରେ ପ୍ରାୟ ୨୫ ହଜାର ଲୋକ ପ୍ରାଣ ହରାଇଛନ୍ତି । ଏବେ ବି ଧ୍ବଂସାବଶେଷ ତଳେ ହଜାର ହଜାର ଲୋକ ପୋତି ହୋଇଥିବା ଆଶଙ୍କା କରାଯାଉଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସତ୍ତ୍ବେ ପ୍ରବଳ ଥଣ୍ଡା ରେସ୍କ୍ୟୁ ଅପରେସନକୁ କରୁଛି ବାଧାପ୍ରାପ୍ତ । ଏହାରି ମଧ୍ୟରେ ତୁର୍କୀ ଏବଂ ସିରିୟାରେ ଆସିଥିବା ଭୀଷଣ ଭୂକମ୍ପ ପରେ ନିଖୋଜ ଥିବା ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଭାରତୀୟ ଦୂତାବାସ ଏନେଇ ଟ୍ୱିଟ କରି ସୂଚନା ଦେଇଛି । ଦୂତାବାସ ଟ୍ୱିଟ କରି କହିଛି, ୬ ଫେବ୍ରୁଆରୀରେ ଭୂମିକମ୍ପ ପରଠୁ ତୁର୍କୀରେ ଜଣେ ଭାରତୀୟ ନାଗରିକ ବିଜୟ କୁମାରଙ୍କ ଶବ ମିଳିଛି ।

ମଲତ୍ୟାରେ ଏକ ହୋଟେଲର ଭଗ୍ନାବଶେଷ ମଧ୍ୟରୁ ତାଙ୍କର ଚିହ୍ନଟ କରାଯାଇଛି । ଭାରତ ତୁର୍କୀରେ ଭୂକମ୍ପ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଅପରେଶନ ଦୋସ୍ତ ଚଲାଇଛି । ଏହାରି ଜରିଆରେ ଭାରତ ତୁର୍କୀ ଲୋକଙ୍କ ସହାୟତା ଦ୍ରୁତତାର ସହ କରୁଛି । ତୁର୍କୀ ଓ ସିରିଆରେ ଭୂକମ୍ପ ପ୍ରପୀଡ଼ିତ ଇଲାକାରେ ଉଦ୍ଧାର ଲାଗି ଅପରେସନ ଦୋସ୍ତ ମିଶନରେ ସେଠାକୁ ଯାଇଛନ୍ତି ଏନଡିଆରଏଫର ୧୫୨ ଜଣିଆ ୩ଟି ଟିମ୍ । ସେପଟେ ଭୂକମ୍ପଜନିତ ସହାୟତା ଲାଗି ଭାରତ ପଠାଇଛି ମେଡିସିନ ଓ ଡାଏଗ୍ନୋଷ୍ଟିକ କିଟ୍ ।