ଦନ୍ତାହାତୀ ରାମୁର ମୃତ୍ୟୁ ଚନ୍ଦକା ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଉପରେ ଉଠାଇଲା ପ୍ରଶ୍ନ

ଭୁବନେଶ୍ବର: ଚନ୍ଦକା ଜଙ୍ଗଲର ଦନ୍ତାହାତୀ ରାମୁର ମୃତ୍ୟୁ ବିଦ୍ୟୁତ ଆଘାତରେ ହୋଇଛି ବୋଲି ବନ୍ୟପ୍ରାଣୀ ମୁଖ୍ୟ ସୂଚନା ଦେଇଛନ୍ତି । କିପରି ଓ କେଉଁ ସ୍ଥିତିରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ରାମୁ, ଚାଲିଛି ତାର ତଦନ୍ତ । ଆଗକୁ ଚନ୍ଦକା ଜଙ୍ଗଲରେ ଥିବା ଅନ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ କଡା ପଦକ୍ଷେପ ନିଆଯିବ ବୋଲି ପିସିସିଏଫ କହିଥିବା ବେଳେ ହାତୀଙ୍କ ସୁରକ୍ଷାରେ ବନ ବିଭାଗର ବିଫଳତା ପୁଣି ଥରେ ସାମ୍ନାକୁ ଆସିଛି ।

ମନୁଷ୍ୟଜନିତ ତ୍ରୁଟି ଯୋଗୁଁ ଚନ୍ଦକା ଅଭୟାରଣ୍ୟରେ ଦନ୍ତାହାତୀ ରାମୁର ମୃତ୍ୟୁ । ଚନ୍ଦକା ଡିଏଫଓଙ୍କଠାରୁ ବନ୍ୟପ୍ରାଣୀ ମୁଖ୍ୟ, ସମସ୍ତେ ମର୍ମାହତ । ହେଲେ ଦୋଷ ମୁଣ୍ଡାଇବାକୁ କେହି ନୁହଁନ୍ତି ପ୍ରସ୍ତୁତ । ଚନ୍ଦକା ଜଙ୍ଗଲର ସବୁଠାରୁ ଶାନ୍ତ ଗଜରାଜ ରାମୁ ବିଦ୍ୟୁତ ଆଘାତରେ ୪୦ ବର୍ଷ ବୟସରେ ଚାଲିଯାଇଛି । କାହାର ତ୍ରୁଟି ଯୋଗୁଁ ଏପରି ହେଲା ତା’ର କାରଣ ଜାଣିବାକୁ ଚାଲିଛି ତଦନ୍ତ । ବ୍ୟବଚ୍ଛେଦ ରିପୋର୍ଟରୁ ବିଦ୍ୟୁତ ଆଘାତରେ ରାମୁର ମୃତ୍ୟୁ ଘଟିଛି ବୋଲି ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ ।

ଚୁନକୋଳି ବସ୍ତି ପାଖରେ ଥିବା କଦଳୀ ଖାଇବାକୁ ଯାଇ ବିଦ୍ୟୁତ ଆଘାତ ପାଇଛି କି ପଶୁ ଶିକାର ପାଇଁ ବିଛାଯାଇଥିବା ତାର ସଂସ୍ପର୍ଶରେ ଆସି ରାମୁର ମୃତ୍ୟୁ ହୋଇଛି, ତାର ତଦନ୍ତ ଚାଲିଛି । ଯୁଗ୍ମ ଭାବେ ବିଦ୍ୟୁତ ଓ ବନ ବିଭାଗର ଅଧିକାରୀମାନେ ତଦନ୍ତ କରୁଛନ୍ତି । ଚନ୍ଦକା ପାଚେରୀ କଡେ ରହୁଥିବା ବସ୍ତିରେ ଅନେକ ବେଆଇନ ବିଦ୍ୟୁତ ସଂଯୋଗ ଥିବାରୁ ସବୁ ଦିଗ ପ୍ରତି ତଦନ୍ତ କରାଯାଉଛି । ଆଗକୁ ୨୪ ଘଣ୍ଟିଆ କଡା ସୁରକ୍ଷା ବ୍ୟବସ୍ଥା କରାଯିବ । ରାତିରେ ଅବସରପ୍ରାପ୍ତ ସୈନିକମାନଙ୍କୁ ନେଇ ଥିବା ସ୍ୱତନ୍ତ୍ର ସ୍କ୍ୱାର୍ଡ ସହ ଅନ୍ୟ ବନ୍ୟାଜନ୍ତୁଙ୍କ ସୁରକ୍ଷା ଦିଗରେ ଗୁରୁତ୍ୱ ଦିଆଯିବ । ବିସ୍ତୃତ ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପିସିସିଏଫ ।

ଚନ୍ଦକାର ଆଇକନିକ ହାତୀ ଥିଲା ରାମୁ । ଅଭୟାରଣ୍ୟ ଭିତରେ ଥିବା ରାମୁର ମୃତ୍ୟୁ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ସବୁଠୁ ଶକ୍ତିଶାଳୀ ହାତୀ ଥିଲେ ବି କେବେ କାହାକୁ ଆକ୍ରମଣ କରି ନଥିଲା । ରାମୁ ମୃତ୍ୟୁର ରହସ୍ୟ କେବେ ଫିଟିବ, ତା’ଉପରେ ସମସ୍ତଙ୍କ ନଜର ଥିବା ବେଳେ ରାମୁର ସ୍ମୃତିକୁ ସାଇତି ରଖିବାକୁ ଉଦ୍ୟମ ଆରମ୍ଭ ହୋଇଛି । ବନ୍ୟପ୍ରାଣୀ ବିଶେଷଜ୍ଞ ପିସିସିଏଫଙ୍କୁ ରାମୁର କଙ୍କାଳକୁ ଗୋଡିବାରୀ ଜଙ୍ଗଲରେ ସାଇତି ରଖିବା ସହ ପ୍ରଦର୍ଶନ କରିବାକୁ ଅନୁରୋଧ କରିଛନ୍ତି । ରିଜିଓନାଲ ନାଚୁରାଲ ମ୍ୟୁଜିୟମରେ ଶଙ୍କର ହାତୀର କଙ୍କାଳ ଭଳି ରାମୁର କଙ୍କାଳ ପର ପିଢୀ ପାଇଁ ପ୍ରଦର୍ଶିତ କରିବାକୁ ଯୋଜନା ହେଉଛି । ଏହା ଉପରେ ଗମ୍ଭୀରତାର ବିଚାର ଚାଲିଛି ବୋଲି ପିସିସିଏଫ କହିଛନ୍ତି ।