ଅଧାବାଟରେ ଖରାପ ହେଲା ୧୦୮ ଆମ୍ବୁଲାନ୍ସ, ଚାଲିଗଲା ରୋଗୀଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ: ଆମ୍ବୁଲାନ୍ସ ସାଜିଲା କାଳ। ୧୦୮ ଆମ୍ବୁଲାନ୍ସ ଖରାପ ହେବାରୁ ଅଧାବାଟରେ ଚାଲିଗଲା ଜୀବନ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଗଂଜାମ ଖଲ୍ଲିକୋଟ ଅଞ୍ଚଳରୁ। ଗତକାଲି ଅପରାହ୍ନ ୪ଟା ସମୟରେ ଖଲ୍ଲିକୋଟ ବିରିପୁର ଅଞ୍ଚଳର ଶଙ୍କର ମହାରଣା ନିକଟସ୍ଥ ଏକ ପଡ଼ିଆରେ କ୍ରିକେଟ ଖେଳ ଦେଖୁଥିବା ବେଳେ ତାଙ୍କର ପେଟକୁ ବଲ  ବାଜିଥିଲା। ଗୁରୁତର ଭାବେ ଶଙ୍କରଙ୍କୁ ପ୍ରଥମେ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଖଲ୍ଲିକୋଟ ମେଡିକାଲକୁ ନେଇ ଆସିଥିଲେ ପରିବାର ଲୋକେ। ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର ଲାଗି ଡାକ୍ତର କହିଥିଲେ।୧୦୮ ଆମ୍ବୁଲାନ୍ସ ଯୋଗେ ରାତି ପ୍ରାୟ ୧୧ଟା ସମୟରେ ରୋଗୀଙ୍କୁ ନେଇ ଖଲ୍ଲିକୋଟରୁ ବ୍ରହ୍ମପୁର ଏମକେସିଜି ମେଡିକାଲ ଅଭିମୁଖେ ସମ୍ପର୍କୀୟ ବାହାରିଥିଲେ। ଖଲ୍ଲିକୋଟରୁ ବାହାରି ଘାଟି ମଝିରେ ୧୦୮ ଆମ୍ବୁଲାନ୍ସ ଖରାପ ହୋଇଯାଇଥିଲା। ଦୀର୍ଘ ତିନି ଘଣ୍ଟା ପରେ ଆଉ ଏକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ରାତି ୪ଟାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଶଙ୍କରଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆମ୍ବୁଲାନ୍ସ ଖରାପ ହେବାରୁ ମେଡିକାଲ ପହଞ୍ଚିବାରେ ବିଳମ୍ବ ହେବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।