୩ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା ! କେନ୍ଦ୍ରୀୟ କର୍ମଚାରୀଙ୍କୁ କେବେ ମିଳିବ ବଡ଼ ଖୁସିଖବର ?
1 min read
ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ଏକ ଖୁସି ଖବର । ଜୁଲାଇ-ଡିସେମ୍ବର ପାଇଁ ମହଙ୍ଗା ଭତ୍ତା (ଡିଏ)ର ଘୋଷଣା ଦିପାବଳୀ ସୁଦ୍ଧା କରାଯିବ । ଡିଏରେ ୩ ପ୍ରତିଶତ ବୃଦ୍ଧି ହେବ । ଏପରି ସ୍ଥିତିରେ ବର୍ତ୍ତମାନର ଡିଏ ୫୫ ପ୍ରତିଶତରୁ ବୃଦ୍ଧି ପାଇ ୫୮ ପ୍ରତିଶତରେ ପହଞ୍ଚିଯିବ । ଗତ ଜାନୁଆରୀରେ କେନ୍ଦ୍ର ସରକାର ମାତ୍ର ୨ ପ୍ରତିଶତ ଡିଏ ବଢ଼ାଇଥିଲେ । ଫଳରେ ଡିଏ ୫୩ ପ୍ରତିଶତରୁ ବଢ଼ି ୫୫ ପ୍ରତିଶତ ହୋଇଯାଇଥିଲା । ସେ ସମୟରେ କର୍ମଚାରୀଙ୍କ ମଧ୍ୟରେ ସାମାନ୍ୟ ନିରାଶା ଦେଖିବାକୁ ମିଳିଥିଲା ।
ଗତ ୧୨ ମାସର ମୁଦ୍ରାସ୍ଫୀତିର ତଥ୍ୟ ଓ ସୂତ୍ର-ଆଧାରିତ ଗଣନା ଆଧାରରେ ଡିଏ ବର୍ଷକୁ ଦୁଇଥର (ପ୍ରତି ୬ ମାସରେ) ସଂଶୋଧନ କରାଯାଇଥାଏ । ଶ୍ରମ ବ୍ୟୁରୋ ତଥ୍ୟ ଅନୁସାରେ, ଚଳିତ ବର୍ଷ ଜୁନ ମାସ ପାଇଁ ଅଖିଳ ଭାରତୀୟ CPI-IW ୧ ଅଙ୍କ ବଢ଼ି ୧୪୫ ରହିଛି । ନିକଟରେ ଶ୍ରମ ବ୍ୟୁରୋ ଜୁନ ମାସ ପାଇଁ ଉଦ୍ୟୋଗିକ ଶ୍ରମିକଙ୍କ ପାଇଁ ଅଖିଳ ଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI-IW) ଜାରି କରିଥିଲା, ଯାହାକି ୧୪୫ ଥିଲା । ଏଥିସହିତ ୨୦୨୪ ମସିହା ଜୁଲାଇ ଓ ୨୦୨୫ ଜୁନ ମଧ୍ୟରେ ୧୨ ମାସର ଆଭରେଜ ସୂଚକାଙ୍କ ୧୪୩.୬ ହୋଇଯାଇଛି ।
ଚଳିତ ବର୍ଷ ଜୁଲାଇ ୧ ତାରିଖକୁ ନୂଆ ଡିଏ ପାଇଁ ପ୍ରଭାବୀ ଭାବେ ଗ୍ରହଣ କରାଯିବ । ଉତ୍ସବର ଠିକ୍ ପୂର୍ବରୁ ସେପ୍ଟେମ୍ବର ବା ଅକ୍ଟୋବରରେ କେନ୍ଦ୍ର ସରକାର ଏହାର ଘୋଷଣା କରିଥାନ୍ତି । ଡିଏ/ଡିଆରର ଔପଚାରିକ ଘୋଷଣା ଦିପାବଳୀ ପାଖପାଖି ସମୟରେ କରାଯାଇଥାଏ । ଜୁଲାଇ-ଡିସେମ୍ବର ୨୦୨୫ରେ ହେବାକୁ ଥିବା ଡିଏ ଡିଏ ବୃଦ୍ଧି, ସପ୍ତମ ବେତନ କମିଶନ ଅନୁସାରେ ବୃଦ୍ଧି କରାଯିବ । ଚଳିତ ବର୍ଷ ଡିସେମ୍ବର ୩୧ରେ ଏହି ଆୟୋଗର କାର୍ଯ୍ୟକାଳ ସମାପ୍ତ ହେଉଛି । ଜାନୁଆରୀରେ ସରକାର ୮ମ ବେତନ ଆୟୋଗର ଘୋଷଣା କରିଥିଲେ । ମାତ୍ର ଏହାର ଅଧ୍ୟକ୍ଷ ଓ ସଦସ୍ୟଙ୍କ ନାମ ଘୋଷଣା କରିନାହାନ୍ତି ।