କାଲିଠୁ ବନ୍ଦ ହୋଇଯିବ କି ରାଜ୍ୟରେ ରାସନ ସାମଗ୍ରୀ ବଣ୍ଟନ ?

ଭୁବନେଶ୍ବର: ଡିଲରଙ୍କ ଦାବିକୁ ରାଜ୍ୟ ସରକାରଙ୍କ ବେଖାତିର । ୭ ଦିନ ସମୟ ନେଇ ବିତିଗଲାଣି ଦେଢ଼ ମାସ । ହେଲେ ଡିଲରଙ୍କୁ ମିଳିଲାନି ଟଙ୍କାଟିଏ । ଏମିତି ସ୍ଥିତିରେ କାଲି ସୁଦ୍ଧା ସମସ୍ୟାର ସମାଧାନ ନହେଲେ ଖାଉଟିଙ୍କୁ ରାସନ ସାମଗ୍ରୀ ଦେବା ବନ୍ଦ କରିଦେବାକୁ ଚେତାବନୀ ଦେଇଛନ୍ତି ଡିଲର ।

ଅଭିଯୋଗ ଅନୁସାରେ, କେନ୍ଦ୍ର ଓ ରାଜ୍ୟ ସରକାର ଧାରାବାହିକ ଭାବରେ ରାଜ୍ୟର ପ୍ରାୟ ୭ ହଜାରରୁ ଅଧିକ ସରକାରୀ ଖୁଚୁରା ବିକ୍ରେତାଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଆସୁଛନ୍ତି । ଜଣେ ଡିଲର ପ୍ରତି ପ୍ରାୟ ୭୦ରୁ ୮୦ ହଜାର ଟଙ୍କା ବାକି ପଡିଛି । ଖାଉଟିଙ୍କୁ ସାମଗ୍ରୀ ଦେବା ପାଇଁ ଜିପିଆରଏସ୍ ବ୍ୟବସ୍ଥା ଉଭୟ ବିକ୍ରେତା ଓ ଯୋଗାଣକାରୀଙ୍କ ଉପରେ ଲାଗୁ ହେଲା । କିନ୍ତୁ କିଛି ଦିନ ଗଲା ପରେ ଠିକାଦାରଙ୍କ ଉପରୁ ଏହାକୁ ହଟାଇ ଦିଆଗଲା । ଚାଉଳ ପ୍ରତି କୁଇଣ୍ଟାଲରେ ୨ରୁ ୩ କେଜି କମ ଆସୁଥିବାରୁ ତାହାର ଭରଣା କିଏ କରିବ ବୋଲି ଅଭିଯୋଗ ହୋଇଛି ।

ତେବେ ୭ ଦିନ ମଧ୍ୟରେ ଡିଲରଙ୍କର ସମସ୍ତ ବକେୟା ଟଙ୍କା ପ୍ରଦାନ କରାଯିବ ବୋଲି କହିଥିଲେ ଯୋଗାଣ ଅଧିକାରୀ । କିନ୍ତୁ ଦେଢମାସ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଟଙ୍କାଟିଏ ମିଳିଲା ନାହିଁ । ଆସନ୍ତା କାଲି ସୁଦ୍ଧା ଯଦି ସମସ୍ୟା ସମାଧାନ ନହୁଏ ତେବେ ରାଜ୍ୟରେ ଥିବା ସମସ୍ତ ଡିଲର ପଏଣ୍ଟରେ ଖାଉଟିଙ୍କୁ ସାମଗ୍ରୀ ଯୋଗାଣ ବନ୍ଦ କରିଦିଆଯିବ ବୋଲି ଚେତାବନୀ ଦିଆଯାଉଛି ।