ଗାଜିଆନ୍ତେପ୍ ନିକଟ ଦକ୍ଷିଣ ତୁର୍କୀରେ ଭୂକମ୍ପର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୭.୮

ନୂଆଦିଲ୍ଲୀ: ତୁର୍କୀ, ସିରିଆରେ ଶକ୍ତିଶାଳୀ ଭୂକମ୍ପ ଝଟକା । ୭.୮ ତୀବ୍ରତାରେ ଥରିଲା ଦୁଇ ପଡ଼ୋଶୀ ରାଷ୍ଟ୍ର । ଶକ୍ତିଶାଳୀ ଭୂକମ୍ପରେ ଶତାଧିକ ଲୋକଙ୍କର ମୃତ୍ୟୁ ହୋଇଛି । ତୁର୍କୀରେ ଭୂମିକମ୍ପ ଝଟକା ଯୋଗୁ ୬୦ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ଭୋର ପ୍ରାୟ ସାଢ଼େ ୪ଟା ବେଳେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପ ଯୋଗୁ ୧୬ଟି ବହୁତଳ ଆପାର୍ଟମେଣ୍ଟ ଭୁଶୁଡି ପଡ଼ିଥିବା ଦେଖିବାକୁ ମିଳିଛି । ପ୍ରଭାବିତ ଅଞ୍ଚଳରେ ରେସ୍କ୍ୟୁ ଅପରେସନ ଜାରି ରହିଛି ।

ତୁର୍କୀର ବିଭିନ୍ନ ସହରରେ ପ୍ରାୟ ୬ଥର ଝଟକା ଅନୁଭୂତ ହୋଇଛି । ଅନେକ ଅଞ୍ଚଳରେ କୋଠା ଭୁଶୁଡ଼ିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଦେଖିଲେ ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି । ସେପଟେ ପଡୋଶୀ ରାଷ୍ଟ୍ର ସରିଆରେ ବି ଭୂକମ୍ପର ଜୋରଦାର ଝଟକା ଅନୁଭୂତ ହୋଇଛି । ପ୍ରାୟ ୪୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ତୁର୍କୀ ସୀମାକୁ ଲାଗି ରହିଥିବା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରାୟ ୪୦ସେକେଣ୍ଡ ଧରି ଭୂମିକମ୍ପ ଅନୁଭୂତ ହୋଇଥିଲା । ତୁର୍କୀରେ ଭୂକମ୍ପ ଯୋଗୁ ୧୯୯୯ରୁ ଏପର୍ଯ୍ୟନ୍ତ ପ୍ରାୟ ୧୮ ହଜାର ଲୋକଙ୍କ ମୃତ୍ୟୁ ହୋଇଛି ।