ଆସନ୍ତାକାଲି ସରୁଛି ଡେଡଲାଇନ: କ’ଣ କରିବେ ଓଡ଼ିଶାରେ ଥିବା ପାକିସ୍ତାନୀ ନାଗରିକ ?

1 min read

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକ ସୀମାରେ ଉତ୍ତେଜନା ପରେ ଏବେ ଦେଶ ଭିତରେ ପାକିସ୍ତାନୀଙ୍କ ମଧ୍ୟରେ ପଶିଛି ଛନକା । ସେମାନଙ୍କୁ ଦେଶ ଛାଡିବାକୁ ଦିଆଯାଇଛି ନିର୍ଦ୍ଦେଶ । ଏହାରି ଭିତରେ ଓଡିଶାର ବିଭିନ୍ନ ଜିଲ୍ଲାରେ ୧୨ଜଣ ପାକିସ୍ତାନୀଙ୍କୁ ଚିହ୍ନଟ କରାଯାଇ ଲିଭ୍ ଇଣ୍ଡିଆ ନୋଟିସ ଦିଆଯାଉଛି । କାହାର ଭିସା ପର୍ମିଟ ସରିଯାଇଛି ତ କାହାର ପାସପୋର୍ଟର ମଧ୍ୟ ନବୀକରଣ ହୋଇନି । ଏମିତି ସ୍ଥିତିରେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବଲାଙ୍ଗୀର, କଟକ, ଭୁବନେଶ୍ବର ଓ ବାଲେଶ୍ବରରେ ଥିବା ପାକିସ୍ତାନୀଙ୍କୁ ଦେଶ ଛାଡିବାକୁ ଦିଆଯାଇଛି ଅଲଟିମେଟ ଡେଡଲାଇନ ।

ବଲାଙ୍ଗୀରର ସାରଦା କୁକ୍ରେଜା । ୧୯୭୧ ଯୁଦ୍ଧ ପୂର୍ବରୁ କରାଚୀର ସିନ୍ଧ ପ୍ରଦେଶରୁ ୧୦ ଭାଇ ଭଉଣୀ ପରିବାର ସହ ଦିଲ୍ଲୀ ଆସିଥିଲେ । ଯୁଦ୍ଧ ପରେ ଆଉ ଫେରପାରି ନଥିଲେ । ପରିବାର ସହ ପ୍ରଥମେ କୋରାପୁଟ ଗଲେ, ସେଠାରେ ମହେଶ କୁକ୍ରେଜାଙ୍କ ସହ ବିବାହ କରିଥିଲେ । ପରେ ବଲାଙ୍ଗୀରକୁ ବ୍ୟବସାୟ ପାଇଁ ଆସି ଠିକାଦାରପଡାରେ ଘରବାଡି କରି ରହିଛନ୍ତି । ସ୍ବାମୀ ମହେଶଙ୍କ ବିବାହ ପରେ ପୁଅ ବୋହୂଙ୍କ ସହ ବଲାଙ୍ଗୀରରେ ରହୁଛନ୍ତି ସାରଦା । ଝିଅ ବି ରାୟପୁରରେ ବାହା ହୋଇ ସେଠାରେ ପରିବାର ସହ ରହୁଛନ୍ତି । ସାରଦାଙ୍କ ପାସପୋର୍ଟ ଅବଧି ୧୯୯୧ରୁ ଶେଷ ହୋଇଗଲାଣି । ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଭାରତୀୟ ନାଗରିଗତ୍ବ ଗ୍ରହଣ କରିଛନ୍ତି । ହେଲେ ସାରଦା ଭାରତୀୟ ନାଗରିକତ୍ବ ପାଇଁ ଆବେଦନ କରିନାହାଁନ୍ତି । ପରିବାର ଛାଡି ପାକିସ୍ତାନ ନଯିବାକୁ ସେ ପ୍ରଶାସନକୁ ଅପିଲ କରିଥିବା ବେଳେ ସରକାର ତାଙ୍କୁ ଅଲଟିମେଟମ ଦେଇଛନ୍ତି ।

ସେହିଭଳି କଟକ ଓ ଭୁବନେଶ୍ବରରୁ ମଧ୍ୟ ଚିହ୍ନଟ ହୋଇଛନ୍ତି ପାକିସ୍ତାନୀ । କଟକରେ ୩ ଜଣ ପାକିସ୍ତାନୀ ରହିଥିବା ପୋଲିସ ସୂଚନା ଦେଇଛି । କଟକରେ ଆଉ ପାକିସ୍ତାନୀ ଅଛନ୍ତି କି ନାହିଁ ସେନେଇ ଚିହ୍ନଟ ପ୍ରକ୍ରିୟା ଚାଲିଛି । ସେହିଭଳି ଭୁବନେଶ୍ବରର ଚିନ୍ତାମଣିଶ୍ବର ଅଞ୍ଚଳରେ ରହୁଥିବା ନଗମା ୟୁସୁଫ ୨୦୦୮ରୁ ପାକିସ୍ତାନରୁ ଆସିଥିଲେ । ଇଣ୍ଟରନେଟରୁ ଭଲ ପାଇ ମହମ୍ମଦ ନିଜାମୁଦ୍ଦିନଙ୍କୁ ବାହା ହେବା ପାଇଁ ଲଙ୍ଗଟର୍ମ ଭିସା ଧରି ଭୁବନେଶ୍ବର ଆସିଥିଲେ । ୧୭ ବର୍ଷ ଧରି ସେ ଭୁବନେଶ୍ବରରେ ରହୁଥିଲେ । ଗତ ଡିସେମ୍ବରରୁ ତାଙ୍କ ଭିସା ଅବଧି ସରିଲାଣି । ଗତ ଫେବୃଆରୀରେ ସେ ଏକଜିଟ ପର୍ମିଟ ପାଇଁ ଆବେଦନ କରିଥିଲେ । ଏବେ ତାଙ୍କୁ ଲିଭ ଇଣ୍ଡିଆ ନୋଟିସ ଜାରି ହୋଇଛି ।

କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ଅନ୍ୟ ଜିଲ୍ଲାରେ ବର୍ଷ ବର୍ଷ ଧରି ଏଭଳି ରହୁଥିବା ପାକିସ୍ତାନୀଙ୍କୁ ଚିହ୍ନଟ କରି ସେମାନଙ୍କୁ ନିଜ ଦେଶକୁ ଫେରାଇଦେବାକୁ ପ୍ରକ୍ରିୟା ଜାରି ରହିଛି ।