ସରିଲା ଡେଡଲାଇନ: ପାକିସ୍ତାନ ଫେରୁଛନ୍ତି ପାକିସ୍ତାନୀ…….

1 min read

ଭୁବନେଶ୍ବର: ଭୁବନେଶ୍ଵର ଛାଡ଼ିଲେ ପାକିସ୍ତାନୀ ମହିଳା ନଗମା ୟୁସୁଫ। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁଯାୟୀ କମିଶନରେଟ ପୋଲିସର ନୋଟିସ ପରେ ନଗମା ଭୁବନେଶ୍ଵର ଛାଡିଛନ୍ତି। ସକାଳେ ସେ ଭୁବନେଶ୍ୱର ସ୍ଥିତ ଘରୁ ପାକିସ୍ତାନ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ୨୦୦୮ରେ ଭୁବନେଶ୍ବର ବାସିନ୍ଦା ମହମ୍ମଦ ନିଜାମୁଦ୍ଦିନଙ୍କୁ ବିବାହ କରି ଏଠାରେ ରହି ଆସୁଥିଲେl ବିବାହ ପରେବି ଏଠାକାର ନାଗରିକତ୍ୱ ପାଇଁ ଆବେଦନ କରି ନଥିଲେ। ୨୦୨୪ ଡିସେମ୍ବରରେ ତାଙ୍କ ଭିସା ଅବଧି ଶେଷ ହୋଇଥିଲା।ଦୀର୍ଘ ମିଆଦି ଭିସା ପାଇଁ ଆବେଦନ କରିଥିଲେ। ପହଲଗାଓଁ ଘଟଣା ପରେ ପାକିସ୍ତାନୀଙ୍କୁ ଭାରତ ଛାଡ଼ ନୋଟିସ କରାଯାଇଥିବାରୁ ନଗମା ୟୁସୁଫଙ୍କୁ ଭାରତ ଛାଡିବାକୁ ପଡିଛି ।

ସେପଟେ ବଲାଙ୍ଗୀରରେ ରହୁଥିବା ପାକିସ୍ତାନୀ ମହିଳା ସାରଦା କୁକରେଜା କିନ୍ତୁ ଭାରତ ଛାଡ଼ିବାକୁ ନାରାଜ। ୫୫ ବର୍ଷ ତଳେ ବାପାମାଆଙ୍କ ସହ ପାକିସ୍ତାନରୁ ଭାରତ ଆସିଥିଲେ। ଏବେ ଠିକାଦାରପଡାରେ ରହୁଛନ୍ତି। ସାରଦାଙ୍କ ପାକିସ୍ତାନୀ ପାସପୋର୍ଟ ଅବୈଧ ହୋଇଯାଇଛି। ହେଲେ ତାଙ୍କ ପାଖରେ ରହିଛି ଭାରତୀୟ ଭୋଟର କାର୍ଡ। ୧୯୭୧ ଭାରତ-ପାକ ଯୁଦ୍ଧ ପୂର୍ବରୁ ବାପା ମାଆଙ୍କ ସହ ୧୦ଭାଇ ଭଉଣୀ ଦିଲ୍ଲୀ ଚାଲି ଆସିଥିଲେ । କୋରାପୁଟର ମହେଶ କୁକରେଜାଙ୍କୁ ବିବାହ କରିଥିଲେ ସାରଦା।ଏହାପରେ ବଲାଙ୍ଗୀରକୁ ବ୍ୟବସାୟ ପାଇଁ ଚାଲି ଯାଇଥିଲେ ସ୍ଵାମୀ ମହେଶ। ସ୍ଵାମୀ, ପୁଅ ବୋହୂ ସହ ରହୁଛନ୍ତି ସାରଦା। ପରିବାର ଛାଡି ପାକିସ୍ତାନ ଯିବେନାହିଁ ବୋଲି କହିଛନ୍ତି ସାରଦା। ବଲାଙ୍ଗୀର ପୋଲିସ ସାରଦାଙ୍କୁ ନୋଟିସ ଦେଇଥିବା କହୁଥିବାବେଳେ ସାରଦା ନୋଟିସ ପାଇନଥିବା କହିଛନ୍ତି।

ସେପଟେ ବାଲେଶ୍ୱରର ସୋର ପଠାନମହଲାରେ ରହୁଥିବା ୭୦ ବର୍ଷୀୟ ବୃଦ୍ଧା ରେଜିଆ ସୁଲତାନାଙ୍କୁ ଭାରତ ଛାଡିବାକୁ ନୋଟିସ ପରେ ଆଶଙ୍କାରେ ପରିବାର। ଭାରତରେ ଜନ୍ମିତ ହୋଇ ବି ପାକିସ୍ତାନ ଯାଇନଥିବା ଲୋକଙ୍କୁ କେମିତି ନୋଟିସ ଆସିଲା ବୋଲି କହିଛନ୍ତି ପରିବାର। ରେଜିଆଙ୍କର ପାନକାର୍ଡ, ଆଧାର କାର୍ଡ, ଭୋଟର କାର୍ଡ, ଭତ୍ତା କାର୍ଡ ରହିଛି। ହେଲେ ପାକିସ୍ତାନରେ ତାଙ୍କର କିଛି ଦସ୍ତାବିଜ ନାହିଁ। ଏବେ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ରେଜିଆ। ଏଭଳି ସ୍ଥିତିରେ ସେ କେଉଁଠି ଯାଇ ରହିବେ। ମାଆଙ୍କୁ ପାକିସ୍ତାନ ଛାଡିବୁ ନାହିଁ ବୋଲି କହିଛନ୍ତି ପରିବାର।ଏଇଠି ଜନ୍ମ ହୋଇଛୁ ଏଇଠି ମରିବୁ। ସରକାର ନିର୍ଦ୍ଦେଶକୁ ଆଉଥରେ ତର୍ଜମା କରିବାକୁ ନିବେଦନ କରିଛନ୍ତି। ସେପଟେ ଓଡ଼ିଶାରେ ରହୁଥିବା ୧୨ ପାକିସ୍ତାନୀଙ୍କ ଚିହ୍ନଟ ଚାଲିଛି। ସେମାନଙ୍କୁ ପଠାଇବାକୁ ବ୍ୟବସ୍ଥା ହେଉଛି ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।