ୟୁକ୍ରେନରୁ ଆସିଲା ଡାକ୍ତରୀ ଛାତ୍ର ନବୀନଙ୍କ ମୃତଦେହ

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲା ୟୁକ୍ରେନରେ ମୃତ ଛାତ୍ର ନବୀନ ଶେଖରପ୍ପାଙ୍କ ମରଶରୀର । ୨୦ଦିନ ପରେ ନବୀନଙ୍କ ମରଶରୀର ଭାରତ ଆସିଛି । ତେବେ ଅନ୍ତିମ ସଂସ୍କାର ପରିବର୍ତ୍ତେ ମୃତଦେହ ହସ୍ପିଟାଲକୁ ଦାନ କରିବେ ବୋଲି କହିଛନ୍ତି ପରିବାର ଲୋକେ । ନବୀନଙ୍କ ଶରୀରକୁ ଅନ୍ୟ ଡାକ୍ତରୀ ଛାତ୍ରମାନେ ଅଧ୍ୟୟନ ପାଇଁ ବ୍ୟବହାର କରିପାରିବେ। ସେଥିପାଇଁ ନବୀନଙ୍କ ମୃତଦେହ ଦାନ କରିବାକୁ ନିଷ୍ପତ୍ତି ନେଇଥିବା ପରିବାର ଲୋକେ ପୂର୍ବରୁ କହିଥିଲେ ।

ବେଙ୍ଗାଲୁରୁ ଏୟାରପୋର୍ଟରେ ନବୀନଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ । ଅପରାହ୍ଣ ଗୋଟାଏରେ ନବୀନଙ୍କ ପୈତୃକ ଗ୍ରାମକୁ ମୃତଦେହ ନିଆଯାଇଛି । ପରେ ଦେବନଗରୀସ୍ଥିତ ଏସ ଏସ ମେଡିକାଲକୁ ତାଙ୍କ ମରଶରୀର ପ୍ରଦାନ କରାଯିବ । ସେପଟେ ନବୀନଙ୍କ ମୃତ୍ୟୁକୁ ନେଇ ପ୍ରକୃତ ତଥ୍ୟ ସାମ୍ନାକୁ ଆସୁ ନଥିବା ନେଇ ଭାରତର ଅଭିଯୋଗ ପରେ ଘଟଣାର ଉପଯୁକ୍ତ ତଦନ୍ତ କରାଯିବ ବୋଲି ଋଷ ରାଜଦୂତ କହିଛନ୍ତି ।

ନବୀନଙ୍କ ମରଶରୀର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ନବୀନଙ୍କ ଶେଷ ଦର୍ଶନ କରିଥିଲେ ।