ଇଟା ଫ୍ୟାକ୍ଟ୍ରି ଯାଇ ଫେରିଲେନି ଯୁବକ, ଆଜି ମିଳିଲା ମୃତଦେହ

ଯାଜପୁର: ପାଣିରେ ଭାସୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର  । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ସୁଭଦ୍ରାପୁର ନିକଟରେ ଏକ ନାଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତବ୍ୟକ୍ତି ହେଲେ ଆରୁଆ ପଞ୍ଚାୟତ କୋହ୍ଲା ଗାଁର ମକର ଚନ୍ଦ୍ର ସାହାଣୀ ।

ସେ ଆରୁହା ଅଞ୍ଚଳରେ ଏକ ଇଟା ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ଘରକୁ ଫେରି ନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ମକରଙ୍କୁ ପାଇ ନଥିଲେ । ଏନେଇ ଇଟା ଫ୍ୟାକ୍ଟ୍ରି ମାଲିକଙ୍କୁ ପଚାରିବାରୁ ସେ ଜାଣିନଥିବା କହିଥିଲେ । ପରେ ସୁଭଦ୍ରାପୁର ନିକଟରେ ଏକ ନାଳରୁ ମକରଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ମକର ସାହାଣୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଧର୍ମଶାଳା ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି ।