ରାଜଧାନୀରେ ବନ୍ଦ ଘରୁ ମହିଳାଙ୍କ ଗଳିତ ମୃତଦେହ ଠାବ, ହତ୍ୟା ସନ୍ଦେହ

ଭୁବନେଶ୍ୱର: ଭୁବନେଶ୍ବର କୋରଡ଼କଣ୍ଟାରେ ଭଙ୍ଗାଘରୁ ମହିଳାଙ୍କ ମୃତଦେହ ଠାବ ହୋଇଛି । ଶିବ ମନ୍ଦିର ପାଖରେ ଥିବା ଏକ କଲୋନୀରେ ମହିଳାଙ୍କ ଗଳିତ ମୃତଦେହ ଠାବ କରିଛି ପୋଲିସ । ମୃତ ମହିଳାଙ୍କ ନାଁ ସରିତା ନାୟକ ହୋଇଥିବା ବେଳେ ନୟାଗଡ଼ ବାଣୀଗୋଚ୍ଛା ଅଞ୍ଚଳରେ ତାଙ୍କ ଘର । ସ୍ବାମୀ ଫେରାର ଥିବା ବେଳେ, ମହିଳାଙ୍କ ଭାଇକୁ ପଚରା ଉଚରା କରୁଛି ପୋଲିସ । ମୃତ ମହିଳା ଓ ତାଙ୍କ ସ୍ବାମୀ କୋରଡ଼କଣ୍ଟା ଅଞ୍ଚଳରେ ଏକ ଘରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ ।

ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ପାରିପାର୍ଶ୍ବିକ ପରିସ୍ଥିତି ଦେଖି ହତ୍ୟା ବୋଲି ସନ୍ଦେହ କରୁଛି ପୋଲିସ । ପଡ଼ୋଶୀଙ୍କୁ ପଚରାଉଚରା ସହ ଚାଲିଛି ତଦନ୍ତ । ଅଣ୍ଡର କନଷ୍ଟ୍ରକ୍ସନ ଘରୁ ଏହି ମୃତଦେହ ଠାବ ହୋଇଛି । ଶହୀଦନଗର ଥାନା ପୋଲିସ ପହଞ୍ଚି ତଦନ୍ତ କରିବା ସହ ସାଇଣ୍ଟିଫିକ୍ ଟିମକୁ ମଧ୍ୟ ଘଟଣା ସ୍ଥଲକୁ ଆସିବା ପାଇଁ ଡକାଇଛି । ଯାହା ଜଣାପଡ଼ୁଛି ମହିଳାଙ୍କ ମୃତ୍ୟୁ ୩ ଦିନ ତଳେ ହୋଇଥାଏପାରେ । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଯଦି ତାଙ୍କୁ ହତ୍ୟା କରାଯାଇଛି ତେବେ କିଏ କରିଛି ତାହା ତଦନ୍ତ ପରେ ପଦାକୁ ଆସିପାରିବ ।