ଜନ୍ମମାଟିରେ ପହଞ୍ଚିଲା ସହିଦ ଦେବାଶିଷଙ୍କ ପାର୍ଥିବ ଶରୀର, ଲୁହରେ ଭିଜୁଛି ସହିଦଙ୍କ ଗାଁ

ପୁରୀ: ଜନ୍ମମାଟିରେ ପହଞ୍ଚିଲା ସହିଦ ଯବାନ ଦେବାଶିଷ ବିଶ୍ବାଳଙ୍କ ପାର୍ଥିବ ଶରୀର । ପୁରୀ ଜିଲ୍ଲା ଅଳଗୁମ ପଞ୍ଚାୟତ ଖଣ୍ଡାୟତ ସାହିରେ ପହଞ୍ଚିଛି ସହିଦଙ୍କ ମରଶରୀର । ମାଟିର ପୁଅକୁ ଝୁରୁଛନ୍ତି ସମସ୍ତେ । ଲୁହରେ ଭିଜୁଛି ସହିଦଙ୍କ ଗାଁ । ବିରାଟ ଶୋଭାଯାତ୍ରାରେ ଜନ୍ମମାଟିକୁ ଅଣାଗଲା ଦେବାଶିଷଙ୍କ ପାର୍ଥିବ ଶରୀର । ଶେଷକୃତ୍ୟ ପାଇଁ ଗାଁ ଶ୍ମଶାନରେ ବିଶେଷ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଦେବାଶିଷଙ୍କର ଅନ୍ତିମ ସଂସ୍କାର ହେବ । ସାନଭାଇ ମୁଖାଗ୍ନି ଦେବେ । ସାକ୍ଷୀଗୋପାଳରୁ ଦେବାଶିଷଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ନିଆଯାଇଥିଲା ।

ଆଜି ସହିଦ ଓଡ଼ିଆ ପୁଅ ଦେବାଶିଷ ବିଶ୍ବାଳଙ୍କ ମରଶରୀର ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସହିଦଙ୍କୁ ଶ୍ରଦ୍ଦାଞ୍ଜଳି ଦେଇଥିଲେ । ଏହାପରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ପୋଲିସ କମିଶନର ଓ ଡିସିପି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସହିଦ ଦେବାଶିଷଙ୍କ ପତ୍ନୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଗତ ୨୦ ତାରିଖ ଜାମ୍ମୁ ଓ କାଶ୍ମୀରର ରାଜୌରୀ ସେକ୍ଟରରେ ସେନା ଟ୍ରକ୍‌ ଉପରେ ଆତଙ୍କବାଦୀଙ୍କ ଗ୍ରେନେଡ୍‌ ହମଲାରେ ୫ଜଣ ଯବାନ ସହିଦ ହୋଇଥିଲେ । ଯେଉଁଥିରେ ଥିଲେ ଓଡ଼ିଆ ଯବାନ ଦେବାଶିଷ ବିଶ୍ବାଳ । ୫ ମାସ ତଳେ ଝିଅ ଜନ୍ମ ହେବା ଖୁସିରେ ଦେବାଶିଷ ଛୁଟିରେ ଗାଁକୁ ଆସି ଫେବ୍ରୁଆରୀରେ ପୁଣି ଡ୍ୟୁଟିରେ ଯୋଗଦେଇଥିଲେ । ୨୦୧୨ ମସିହାରେ ସେନାରେ ସିପାହୀ ଭାବରେ ନିଯୁକ୍ତି ପାଇଥିବା ଦେବାଶିଷ ପଦୋନ୍ନତି ପାଇବା ପରେ ଜାମ୍ମୁ କାଶ୍ମୀରରେ ଡ୍ୟୁଟି କରୁଥିଲେ ।