ବୁଡ଼ି ଯାଇଥିବା ଦୁଇ ଛାତ୍ରଙ୍କର ମିଳିଲା ମୃତଦେହ

ସମ୍ବଲପୁର : ସମ୍ବଲପୁର ସଡ଼କଘାଟ ମହାନଦୀରେ ବୁଡ଼ି ଯାଇଥିବା ଦୁଇ ଛାତ୍ରଙ୍କର ମିଳିଲା ମୃତଦେହ। ସମଲେଇ ମନ୍ଦିର ଘାଟରୁ ନବମ ଶ୍ରେଣୀର ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ। ମୃତ ଛାତ୍ର ସମ୍ବଲପୁର ତିୱାରୀ ଗଳିର ଏସ କନିସ୍କ ଓ ହିମାଂଶୁ। ଗତକାଲି ଅପରାହ୍ନରେ ମହାନଦୀରେ ଗାଧୋଇବା ବେଳେ ଦୁଇ ଛାତ୍ର ବୁଡ଼ି ଯାଇଥିଲେ । ମହାନଦୀକୁ ଗାଧୋଇବାକୁ ଆସିଥିବା ବେଳେ ପ୍ରଥମେ ଜଣେ ଛାତ୍ର ପାଣିରେ ଭାସି ଯାଇଥିଲେ । ଜଣଙ୍କୁ ଉଦ୍ଧାର କରିବା ପାଇଁ ଆଉ ଜଣେ ଛାତ୍ର ପାଣି ଭିତରକୁ ଯାଇଥିଲେ । ତେବେ ପହଁରା ଜାଣି ନଥିବାରୁ ଉଭୟେ ଭାସି ଯାଇଥିବା ଜଣା ପଡ଼ିଛି । ମୃତକଙ୍କ ପରିବାର ଆସିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।