ସ୍ପେଶାଲ ସ୍କ୍ୱାଡ୍‌ ପଞ୍ଝାରେ ରାଜ୍ୟ ବାହାରର ଅପରାଧିକ ଗ୍ୟାଙ୍ଗ

ଭୁବନେଶ୍ୱର: ରାଜ୍ୟ ବାହାରେ ପ୍ଲାନ, ରାଜଧାନୀରେ ଅପରେସନ । ଭୁବନେଶ୍ୱରରେ ମାତିଛନ୍ତି ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ। ଗତ 3 ମାସ ଧରି ଭୁବନେଶ୍ୱର ଅଞ୍ଚଳରେ ବୁଲି ବୁଲି କରୁଥିଲେ ଲୁଟ। ଏହି ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ । ଗ୍ୟାଙ୍ଗର ସମସ୍ତ ସଦସ୍ୟ ରାଜ୍ୟ ବାହାରର । ଅଭିନବ ଢଙ୍ଗରେ କରୁଥିଲେ ଲୁଟ ।

ପ୍ରଥମେ ଘରକୁ ଘର ବୁଲି ରେକି କରିବେ, ତା ପରେ ମୁକ ବଧିର ସାର୍ଟିଫିକେଟ ନେଇ ସକାଳୁ ସକାଳୁ ଘର ଭିତରେ ପଶି ଚୋରି କରିବେ । ସକାଳୁ ଘରେ କେହି ନଥିବା ବେଳେ ଏମାନେ କରନ୍ତି ଟାର୍ଗେଟ୍ । ଯଦି କେହି ଦେଖୁଛନ୍ତି ମୁକ ବଧିର ସାର୍ଟିଫିକେଟ ଦେଖାଇ ଲୋକଙ୍କୁ ଭୂଆଁ ବୁଲାଇବାରେ ସକ୍ଷମ ହେଉଛନ୍ତି । କୌଣସି କେସ୍‌ ହିଷ୍ଟ୍ରି ନଥିବାରୁ ଏମାନଙ୍କୁ ଧରିବା କଷ୍ଟକର ହେଉଥିଲା ।

ଭୁବନେଶ୍ୱର ଓ କଟକରେ 12ଟି ସ୍ଥାନରେ ଏହି ଗ୍ୟାଙ୍ଗ ସକ୍ରୀୟ ରହି ଚୋରି କରୁଥିଲେ । 3 ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ବୟସ 35 ରୁ 50 ବର୍ଷ । ତାଙ୍କ ନିକଟରୁ 4ଟି ଲାପଟପ 7ଟି ମୋବାଇଲ ଫୋନ, ଚାର୍ଜର ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଡିଭାଇସ ଜବତ ହୋଇଛି । ସକାଳୁ ଫୁଲ ତୋଳିବାକୁ ଯାଉଥିବା ଲୋକଙ୍କୁ ଏମାନେ କରନ୍ତି ଟାର୍ଗେଟ୍ ।