ଛାତ୍ରଙ୍କୁ ରାଗିଂ ଓ ଅପହରଣ ଘଟଣା ମିଛ: ଡିସିପି

ଭୁବନେଶ୍ବର: ଘରୋଇ ମହାବିଦ୍ୟାଳୟରେ ଛାତ୍ରଙ୍କୁ ରାଗିଂ ଓ ଅପହରଣ ଘଟଣା ମିଛ । ଯୁକ୍ତଦୁଇ ଛାତ୍ର ହୃଦୟେଶ ପଣ୍ଡାଙ୍କୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ରାଗିଂ କରାଯାଇନଥିଲା କିମ୍ବା ସେ ଅପହୃତ ହୋଇନଥିଲେ । କମିସନରେଟ ପୋଲିସ ଏହା ସ୍ପଷ୍ଟ କରିଛି । ମହାବିଦ୍ୟାଳୟର ହଷ୍ଟେଲ ଫିସ୍ ବକେୟା ଥିବାରୁ ତାଙ୍କୁ ହଷ୍ଟେଲ ଖାଲି କରିବାକୁ କୁହାଯାଇଥିଲା । ଏହାପରେ ହୃଦୟେଶ ରାତିରେ ହଷ୍ଟେଲ ଛାଡ଼ି ନିକଟରେ ଥିବା ଏକ ହୋଟେଲରେ ରହିଥିଲେ ।

ହୋଟେଲରେ ରହିବା ପରେ ଘରକୁ ଫୋନ କରି ସବୁକଥା ଜଣାଇଥିଲେ ହୃଦୟେଶ । ତାଙ୍କ ବାପାମାଆ ହୋଟେଲକୁ ଆସି ହୃଦୟେଶକୁ ଭେଟିବା ସହ ମହାବିଦ୍ୟାଳୟକୁ ଯାଇ ହଷ୍ଟେଲ ମ୍ୟାନେଜରଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହାପରେ ହୃଦୟେଶଙ୍କୁ ରାଗିଂ ଓ ଅପହରଣ ନେଇ ତାଙ୍କ ବାପା ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ସେପଟେ ପୋଲିସ ଏନେଇ ତଦନ୍ତ କରିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ଦିନ ରହିବା ପରେ, ହୃଦୟେଶ ହୋଟେଲ ଛାଡ଼ି ତାଙ୍କ ବାପାଙ୍କ ସହ ଘରକୁ ଯାଇଥିଲେ । ଏ ସମସ୍ତ ଘଟଣାର ଦୃଶ୍ୟ ସିସିଟିଭିରେ ରହିଛି ବୋଲି ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।