ବଢୁଛି ନକଲି କାରବାର, ଔଷଧ ଲେଖିବା ସମୟରେ ସାବଧାନ ରହିବାକୁ ଡାକ୍ତରଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ଫେକ୍ ମେଡିସିନର ରାଜ୍ । ଯକୃତ ଓ କର୍କଟ ରୋଗ ଚିକିତ୍ସାରେ ବ୍ୟବହୃତ ହେଉଛି ନକଲି ଔଷଧ । ଏନେଇ ସତର୍କ କରାଇଛନ୍ତି ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ । ଯକୃତ ରୋଗରେ ବ୍ୟବହୃତ ‘ଡିଫିଟେଲିୟୋ’ଏବଂ କର୍କଟ ଟିକା ଏଡସେଟ୍ରିସର ନକଲି ଔଷଧ ମିଳୁଛି। ଏହି ଔଷଧ ଉପରେ ନଜର ରଖିବା ପାଇଁ ଡିସିଜିଆଇ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଔଷଧ ଲେଖିବା ସମୟରେ ସାବଧାନ ରହିବା ପାଇଁ ଡାକ୍ତରମାନଙ୍କୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ବିଶ୍ବା ସ୍ବାସ୍ଥ୍ୟ ସଂଗଠନ ଏହି ଔଷଧଗୁଡିକୁ ନେଇ ଚେତାବନୀ ଜାରି କରିଥିଲା। ଏହାପରେ ଗତ ୫ ତାରିଖରେ ଭାରତ ସହିତ ୪ଟି ଦେଶରେ ଏଡସେଟ୍ରିସ ଇଞ୍ଜେକ୍ସନର ୫୦ ମିଲିଗ୍ରାମର ଅନେକ ନକଲି ଔଷଧ ରହିଛି ବୋଲି ଡିସିଜିଆଇ କହିଥିଲା।

ଭାରତରେ ଟେକେଡା ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ଲିମିଟେଡ ଏଡସେଟ୍ରିସ ଇଞ୍ଜେକ୍ସନ ପ୍ରସ୍ତୁତ କରୁଛି। ଅନଲାଇନରେ ଏହାର ଯୋଗାଣ ହେଉଛି । ଏହି ଔଷଧର ଅତିକମରେ ୮ଟି ଅଲଗା ଅଲଗା ନକଲି ଭର୍ସନ ରହିଥିବା କୁହାଯାଇଛି। ଏହାକୁ ସିଧାସଳଖ ରୋଗୀଙ୍କ ନିକଟକୁ ପଠାଇ ଦିଆଯାଉଛି।