ଏଣିକି ନାକରେ ନେବେ କୋଭିଡ ଭାକ୍ସିନ, ଡିସିଜିଆଇ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ: ଆସିଲା ଭାରତର ପ୍ରଥମ କୋଭିଡ ନାଜାଲ ଭାକ୍ସିନ ଇନକୋଭାକ । ଏହି ଭ୍ୟାକ୍ସିନକୁ ମଞ୍ଜୁରୀ ଦେଇଛନ୍ତି ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ । କୋଭିଡ ସଂକ୍ରମିତ ଲୋକଙ୍କ କ୍ଷେତ୍ରରେ ଏଣିକି ଇନକୋଭାକର ଜରୁରୀକାଳୀନ ବ୍ୟବହାର ହୋଇପାରିବ । ନାକରେ ନିଆଯାଉଥିବା ଏହି ଟିକା ଶରୀରରେ ପ୍ରତିରୋଧକ ଶକ୍ତି ବଢାଇବା ସହ ରୋଗୀକୁ କୋଭିଡ ସଂକ୍ରମଣରୁ ରକ୍ଷା କରିଥାଏ ।

ଉଭୟ କୋଭାକ୍ସିନ ବା କୋଭିସିଲ୍ଡର ଦୁଇଟି ଡୋଜ ନେଇ ସାରିଥିବା ବ୍ୟକ୍ତି ତୃତୀୟ ଡୋଜ ଭାବେ ଇନକୋଭାକକୁ ନେଇପାରିବେ । ନାସା ରନ୍ଧ୍ରରେ ପ୍ରବେଶ କରୁଥିବା କୋଭିଡ ଭୂତାଣୁକୁ ଏହି ଟିକା ଦ୍ବାରା ରୋକା ଯାଇପାରିବ । ଏହା ସହ କୋଭିଡ ଭୂତାଣୁର ସଂକ୍ରମଣଜନିତ ରୋଗ, ସଂକ୍ରମଣ ଆଦି କ୍ଷେତ୍ରରେ ଶକ୍ତିଶାଳୀ ପ୍ରତିରୋଧକ ସାଜିବ ଇନକୋଭାକ । କୋଭିଡର ଦୁଇ ବର୍ଷ ପରେ ଏବେ ବି ଦେଶର ଅନେକ ରାଜ୍ୟରେ କୋଭିଡର ବିଭିନ୍ନ ପ୍ରକାର ଭାରିଆଣ୍ଟର ସଂକ୍ରମଣ ଦେଖାଯାଉଛି ।

କୋଭିଡ ଟିକାର ଦ୍ବିତୀୟ ଡୋଜ ନେବାର 6 ମାସ ପରେ ଇନକୋଭାକକୁ ନିଆଯାଇପାରିବ । ଇନକୋଭାକର ବଜାର ପ୍ରବେଶ ଲାଗି ଭାରତ ବାୟୋଟେକ ଡିସିଜିଆଇଙ୍କ ନିକଟରେ ଆବେଦନ କରିଛି । ଗତ ଏପ୍ରିଲରୁ ଦେଶରେ ବୁଷ୍ଟର ଡୋଜ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । କୋଭିଡର ନୂଆ ଭାରିଆଣ୍ଟ ଗୁଡ଼ିକ ଲୋକଙ୍କ ପ୍ରତି ପ୍ରାଣଘାତୀ ସାବ୍ୟସ୍ତ ହେଉଥିବାବେଳେ ଇନକୋଭାକ ହୋଇପାରିବ ସଞ୍ଜୀବନୀ । ଏବେ ବି ଦେଶରେ ଦୈନିକ ଶତାଧିକ କୋଭିଡ ସଂକ୍ରମିତ ଚିହ୍ନଟ ହେଉଥିବା ସୂଚନା ମିଳିଛି ।