ମହାପ୍ରଭୁଙ୍କ ଦୟଣା ଚୋରି ନୀତି, ଜାଣନ୍ତୁ ଏହାର ପରମ୍ପରା

ପୁରୀ: ଶ୍ରୀମନ୍ଦିରରେ ଆଜି ଚତୁର୍ଦ୍ଦଶୀ ତିଥିରେ ସକାଳ ଧୂପ ନୀତି ପରେ ମହାପ୍ରଭୁଙ୍କ ନିକଟରେ ଦୟଣା ଲାଗି ନୀତି ସମ୍ପର୍ଣ୍ଣ ହୋଇଛି । ପରମ୍ପରା ଅନୁସାରେ ଗତକାଲି ଚୈତ୍ର ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ଜଗନ୍ନାଥ ବଲ୍ଳଭ ମଠରେ ଦୟଣା ଚୋରି ନୀତି ସମ୍ପର୍ଣ୍ଣ ହୋଇଥିବାବେଳେ ଅଧିବାସ ଦୟାଣାକୁ ଆଜି ଲାଗି କରାଯାଇଛି । ମହାପ୍ରଭୁଙ୍କର ଏହି ଅନନ୍ୟ ଦୟଣା ଚୋରି ଓ ଦୟଣା ଲାଗି ନୀତି ବେଶ ପ୍ରାଚୀନ । ଏହା ଦମନକ ଯାତ୍ରା ଭାବେ ବେଶ ଜଣାଯାଏ  ।

ପବିତ୍ର ଚୈତ୍ରମାସ ଶୁକ୍ଳ ପକ୍ଷ ଚତୁର୍ଦଶୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ଦୟଣା ଲାଗି ନୀତି  । ଶ୍ରୀମନ୍ଦିରରେ ଏହାକୁ ଦମନକ ଯାତ୍ରା ଭାବେ ମଧ୍ୟ କୁହାଯାଏ । ମହାପ୍ରଭୁଙ୍କର ଦୟଣା ଅତି ପ୍ରିୟ ହୋଇଥିବାବେଳେ ଏହା ଶ୍ରୀଜିୟୁଙ୍କ ଲାଗି ହେବାର ପରମ୍ପରା ରହିଛି  । ତ୍ରୟୋଦଶୀରେ ଅଧିବାସ ହୋଇ ରହିଥିବା ଦୟାଣାକୁ ଚତୁର୍ଦ୍ଦଶୀରେ ବେଢା ପରିକ୍ରମା କରିବା ପରେ ପରମ୍ପରା ଅନୁସାରେ ସକାଳ ଧୂପ ନୀତି ପରେ ଶ୍ରୀଜିୟୁଙ୍କୁ ଲାଗି କରାଯାଇଥିଲା  । ଛଅ ମୂର୍ତ୍ତି ଅଳଙ୍କାର ବିଜେ ହେବା ସହ ଏହି ଦୟଣା ନୀତି ଲାଗି ନୀତି ସମ୍ପର୍ଣ୍ଣ ହୋଇଥିବାବେଳେ ୧୩ ଯାତ୍ରା ମଧ୍ୟରୁ ଏହା ଅନ୍ୟତମ ଯାତ୍ରା ପ୍ରମୁଖ ଯାତ୍ରା ଭାବେ ଜଣାଯାଏ  ।

ପରମ୍ପରା ଅନୁସାରେ ରାମ ଓ କୃଷ୍ଣ ପାଲିଙ୍କିରେ ଶ୍ରୀମନ୍ଦିରରୁ ଆସି ଜଗନ୍ନାଥ ଭଲ୍ଲବ ମଠରେ ବିଜେ କରିଥିଲେ  । ସେଠାରେ ଭୋଗ ପ୍ରସାଦ ଲାଗି ହେବା ପରେ ମୁଦିରସ୍ତ ଭିତରଚ୍ଛ ଓ ଅନାନ୍ୟ ସେବାୟତଙ୍କ ଦ୍ୱାରା ଆଳତୀ ବନ୍ଦାପନା ଆଲଟ ଚାମର ଲାଗି ଆଦି ନୀତି ସମ୍ପାଦନ ହୋଇଥିଲା  । ପରେ ରାମ ଓ କୃଷ୍ଣ ଜଗନ୍ନାଥ ଭଲ୍ଲଭ ମଠ ପରିସରରେ ଥିବା ପ୍ରମୋଦ ଉଦ୍ୟାନକୁ ଯାଇ ଦୟାଣା ଚୋରି ନୀତି ସମ୍ପାଦନ କରିଥିବାବେଳେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତ କରିଥିଲେ । ଏହି ଦିବ୍ୟ ଓ ନିଆରା ପରମ୍ପରାରେ ସାମିଲ ହୋଇ ନିଜକୁ କୃତାର୍ଥ ମଣିଛନ୍ତି ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ତୁଳସୀ ଯେତିକି ପ୍ରିୟ ଦୟଣା ମଧ୍ୟ ସେତିକି ପ୍ରିୟ । ତେଣୁ ଦୟଣା ଲାଗି ପରେ ପ୍ରଭୁ ସନ୍ତୁଷ୍ଟ ହୁଅନ୍ତି ବୋଲି କହିଛନ୍ତି ଗବେଷକ ।