ପାକିସ୍ତାନରେ ସାଧାରଣ ନିର୍ବାଚନ ପୂର୍ବରୁ ଦୁଇଟି ବିସ୍ଫୋରଣ, ୨୬ ମୃତ

ବାଲୁଚିସ୍ତାନ: ଆସନ୍ତାକାଲି ପାକିସ୍ତାନରେ ସାଧାରଣ ନିର୍ବାଚନ। ଏପଟେ ନିର୍ବାଚନ ପୂର୍ବରୁ ବାଲୁଚିସ୍ତାନରେ ଦୁଇଟି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ପ୍ରାୟ ୨୬ ଜଣ ପ୍ରାଣ ହରାଇଥିବା ବେଳେ ଆହତ ହୋଇଛନ୍ତି ଅନେକ ଲୋକ। ପ୍ରଥମ ବିସ୍ଫୋରଣଟି ପିଶିନ ଜିଲ୍ଲାର ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ କାର୍ଯ୍ୟାଳୟରେ ଘଟିଛି। ଏହି ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ଯୁ ଘଟିଥିଲା।
ସେହିପରି ଦ୍ବିତୀୟ ବିସ୍ଫୋରଣ ଆଫଗାନିସ୍ତାନ ସୀମା କିଲ୍ଲା ସୈଫୁଲ୍ଲା ଅନ୍ତର୍ଗତ ଜାମିଏତ ଉଲେମା ଇସଲାମ ସଂଗଠନର କାର୍ଯ୍ୟାଳୟ ନିକଟରେ ଘଟିଛି। ଏଥିରେ ୧୪ ଜଣଙ୍କ ମୃତ୍ଯୁ ଘଟିଥିଲା। ଦୁଇଟି ବିସ୍ଫୋରଣ ପଛରେ ପାକିସ୍ତାନୀ ତାଲିବାନ ଓ ବିଭିନ୍ନ ବିଚ୍ଛିନ୍ନତାବାଦୀ ସଂଗଠନର ହାତ ଥିବା ଆଶଙ୍କା କରାଯାଇଛି।
ତେବେ ପ୍ରଥମ ବିସ୍ଫୋରଣରେ ଆହତମାନଙ୍କୁ ପିଶିନ ଜିଲ୍ଲାର ଖାଜାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦେଶରେ ସଂସଦୀୟ ନିର୍ବାଚନ ହେବାକୁ ଯାଉଥିବାବେଳେ ଏହି ବିସ୍ଫୋରଣ ଆତଙ୍କ ଖେଳାଇଛି। ନିର୍ବାଚନ ଲାଗି ଦେଶରେ ପ୍ରଚାର ଅଭିଯାନ ଚାଲିଥିବାବେଳେ ଏହି ବିସ୍ଫୋରଣ ଚିନ୍ତାର କାରଣ ହୋଇଛି।