ଜାତିରେ ପୁଣି ସାମିଲ କରିବାକୁ ଦୁଇ ଝିଅଙ୍କୁ ଲଣ୍ଡା କଲେ ସମାଜର ବଡପଣ୍ଡା !
କୋରାପୁଟ : ବାପା ଛେଉଁଣ୍ଡଠୁ ବଳିଗଲା ଜାତିରେ ମିଶାଇବାର ଚିନ୍ତା । କୋରାପୁଟ ଜିଲ୍ଲା ଜୟପୁର ବଦଳିଗୁଡ଼ାରେ କୁତ୍ସିତ ସାମାଜିକ ପ୍ରଥାର ବିକଳ ଚିତ୍ର । ସବୁ ବେଳେ ସବୁ କ୍ଷେତ୍ରରେ ପ୍ରଥମେ ନାରୀଙ୍କୁ ପ୍ରାଧାନ୍ୟ ଦିଆଯାଉଛି । କିନ୍ତୁ କିଛି ଏମିତି କୁତ୍ସିତ ଚିନ୍ତାଧାରା ଏବେ ବି ଜୀବିତ ଅଛି । ଯେଉଁଠି ବାପାଙ୍କ ଶେଷକୃତ୍ୟ କରିବାରୁ ଝିଅମାନଙ୍କୁ ଲଣ୍ଡା କରାଯାଇଛି ।
ଏଭଳି ନିନ୍ଦନୀୟ ଘଟଣା ଘଟିଛି ବଦଳିଗୁଡା ଗାଁରେ । ସୂଚନା ଅନୁଯାୟୀ ଗାଁର ଅର୍ଜୁନ ମାଳୀଙ୍କର ଗତ ୫ ତାରିଖରେ ମୃତ୍ୟୁ ହୋଇଥିଲା । ମାତ୍ର ତାଙ୍କର ପୁଅ ନଥିବାରୁ ଦୁଇ ଝିଅ ଶେଷକୃତ୍ୟ କରିଥିଲେ । ଯାହାକୁ ବିରୋଧ କରିଥିଲା ମାଳି ସମାଜ । ଏପରିକି ଜୋର୍ ଜବରଦସ୍ତ ଦୁଇଝିଅଙ୍କୁ ଲଣ୍ଡାକରି ପରେ ଜାତିରେ ମିଶାଇଥିବା ଅଭିଯୋଗ ହୋଇଛି ।
ବାପାଙ୍କ ଶେଷକୃତ୍ୟ କରିବା ସହ ଅନ୍ୟଜାତିର ଲୋକଙ୍କ ଘରେ ଖାଇଥିବାରୁ ଏହି ଦୁଇ ଝିଅଙ୍କୁ ସମାଜର ବଡପଣ୍ଡାମାନେ ଏଭଳି ଦଣ୍ଡ ଦେଇଛନ୍ତି । ଏଦି ଦୁଇ ଝିଅଙ୍କ ସହ ଏଭଳି ଅମାନବୀୟ ବ୍ୟବହାରର ଦୁଇଟି କାରଣ ରହିଛି । ପ୍ରଥମତଃ ସେମାନେ ଝିଅ ହୋଇ କିଭଳି ପିତାଙ୍କ ଶେଷକୃତ୍ୟ କଲେ ତାହା ସମାଜର ବଡପଣ୍ଡାଙ୍କ ପାଇଁ ଅସହନୀୟ ଥିଲା । ଦ୍ୱିତୀୟତଃ,ଏହି ଦୁଇ ଝିଅ ଅନ୍ୟ ଜାତିର ଲୋକଙ୍କ ଘରେ ଭୋଜନ କରିବା ମଧ୍ୟ ଏହି ଅସାମାଜିକ ଲୋକଙ୍କ ନଜରରେ ଦଣ୍ଡନୀୟ ଅପରାଧ ଥିଲା । ତେଣୁ ସେମାନଙ୍କୁ ଲଣ୍ଡା କରି ଜାତିରେ ମିଶାଇବାକୁ ଉଦ୍ୟମ ହୋଇଥିଲା ।
ଏହି ଘଟଣାକୁ ରାଜ୍ୟବ୍ୟାପି ନିନ୍ଦା କରାଯାଉଛି । ସ୍ଥାନୀୟ ସରପଞ୍ଚ ଘଟଣାକୁ ନିନ୍ଦା କରିଛନ୍ତି । ସେପଟେ କୋରାପୁଟ ଜିଲ୍ଲା ମାଳି ସମାଜ ପକ୍ଷରୁ ଜୟପୁର ଏସ୍ଡିପିଓଙ୍କ ପାଖରେ ଅଭିଯୋଗ କରାଯାଇଛି । ଗୋଟିଏ ପଟେ ଝିଅ ଓ ପୁଅଙ୍କ ମଧ୍ୟରେ ପ୍ରଭେଦ ନକରି ସାମାଜିକ ଭେଦଭାବ ଦୁର କରିବା ପାଇଁ ବିଭିନ୍ନସ୍ତରରେ ଉଦ୍ୟମ ହେଉଥିବା ବେଳେ କୋରାପୁଟରୁ ଆସୁଥିବା ଏହି ଖବର ନିଶ୍ଚିତ ଭାବେ ଚିନ୍ତାଜନକ ।