ପାଷାଣ ଭିତରୁ ସ୍ନେହ ସାଉଁଟୁଛି ସହିଦ୍ ବାପାର ଦରଦୀ ଝିଅ

ନିଶ୍ଚଳ, ନିରବ, ପାଷାଣ ଭିତରେ ସ୍ନେହ ଉଣ୍ଡାଳୁଛି ସହିଦ ବାପାର କୁନି ଝିଅ ।

କୁନି ଝିଅଟି ମନଭରି ବାପାକୁ ଗେଲ କରୁଛି, ବାପା ବୋଲି କହି କୁଣ୍ଢେଇ ପକାଉଛି, ହେଲେ ବାପା କିନ୍ତୁ ନିରବ ।

 କିନ୍ତୁ କୁନି ଝିଅଟି ମନ ଉଣା ନ କରି ବାପାକୁ ଗେଲ ଉପରେ ଗେଲ କରି ଚାଲୁଛି। ବାପାକୁ ମିଠା ଖୁଆଉଛି । କିନ୍ତୁ ବାପା ମିଠାକୁ ଖାଉନି । ଖାଲି ମୁହଁରେ ବୋଳି ହୋଇଯାଉଛି ।  

ଜୀବନ ଆଉ ମୃତ୍ୟୁ ଭିତରେ ଫରକ ବୁଝି ନ ଥିବା ଏହି କୁନି ଶିଶୁକୁ କିଏ ବୁଝେଇବ?

ଯେଉଁଠି ଭଗବାନ ନିର୍ଦ୍ଦୟ ସେଇଠି ଛାର ମଣିଷ ବା କ’ଣ କରିପାରିବ ? ଯଦି ସ୍ୱର୍ଗପୁର ସତରେ ଥାଏ, ତେବେ ସହିଦ ଆତ୍ମା ସ୍ୱର୍ଗରେ ଥାଇ ଏତିକି କହନ୍ତୁ ଭଗବାନ ଏମିତି ଦଣ୍ଡ ଆଉ କୋଉ ଝିଅକୁ ନ ଦିଅନ୍ତୁ ।

ଜନ୍ମ ପୂର୍ବରୁ ବାପା ଛେଉଣ୍ଡ ହୋଇଯାଇଥିଲା ଝିଅ। ବାପାଙ୍କ ସ୍ନେହ କ’ଣ ଜାଣିପାରନଥିଲା କି ସ୍ଵର ଟିକେ ବି ଶୁଣିନଥିଲା । କାହିଁକି ନା ଜନ୍ମ ହେବା ପୂର୍ବରୁ ବାପା ସହିଦ ହୋଇ ଚାଲି ଯାଇଥିଲେ ଆରପାରିକୁ। କୁନି ଝିଅ ଯଦିଓ ବାପାକୁ ଦେଖି ନ ଥିଲା ହେଲେ ଦେଖିଥିଲା ବାପାଙ୍କର ଫଟୋକୁ ।

ଆଜି ବାପାଙ୍କର ଜନ୍ମଦିନ ବେଳେ ତାଙ୍କର ପ୍ରତିମୂର୍ତ୍ତି ଦେଖି ଜାବୁଡି ଧରିଥିଲା । ଚୁମା ଦେଇଥିଲା ଗେହ୍ଲା କରିଥିଲା । ଆଉ ଏଭଳି ଦୃଶ୍ୟ ଦେଖିବା ଲୋକଙ୍କ ଆଖିରେ ଲୁହ ଆସିଯାଇଛି ।

ଏ ଭଳି ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ସୀମାନ୍ତ ପଡୋଶୀ ଛତିଶଗଡ଼ର ନାରାୟଣପୁର ଜିଲ୍ଲାର। ବାପାଙ୍କର ପ୍ରତିମୂର୍ତ୍ତି ଧରି ଚୁମା ଦେଉଥିବାରର ଏହି ଫଟୋଟି ଭାଇରାଲ୍ ହେବା ପରେ ଅଧିକାଂଶ ଲୋକଙ୍କର ହୃଦୟକୁ ଏହା ଛୁଇଁଛି। ପ୍ରତିମୂର୍ତ୍ତି ସମ୍ପର୍କରେ ଜ୍ଞାନ ନ ଥିବା ଝିଅଟି ବାପାଙ୍କୁ ମିଠା ଖୁଆଉଥିବାର ମଧ୍ୟ ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ପଡୋଶୀ ଛତିଶଗଡ଼ର ନାରାୟଣପୁର ଜିଲ୍ଲାଟି ଅତି ଦୁର୍ଗମ ଓ ନକ୍ସଲ ପ୍ରବଣ ଆଞ୍ଚଳ। ଏହି ଜିଲ୍ଲାର କୋଟଘରା ବ୍ଲକ ଅନ୍ତର୍ଗତ ଘାନାଡବାରି ଗାଁରେ ସହିଦ୍ ମୂଲ ଚାନ୍ଦ କୁମାରଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି।

ଏହି ପ୍ରତିମୂର୍ତ୍ତୀ ନିକଟରେ ତାଙ୍କର ଜନ୍ମଦିନ ଦିନ ପୂରା ପରିବାର ଏକତ୍ରିତ ହୋଇଥିଲେ ନିଜ ବାପାଙ୍କୁ ଆଖିରେ ଦେଖିନଥିବା କୁନି ଝିଅଟି ତତକ୍ଷଣାତ୍ ପ୍ରତିମୂର୍ତ୍ତିକୁ ଜାବୁଡ଼ି ଧରି ଗେହ୍ଲା କରିବା ସହ ଚୁମା ଦେଇଥିଲେ। ଏ ଦୃଶ୍ୟ ଅନ୍ୟମାନଙ୍କ ଆଖିରେ ଲୁହ ଆଣି ଦେଇଥିଲା। ସବ୍ ଇନ୍ସପେକ୍ଟର ମୁଲଚାନ୍ଦ ଗତ ୨୦୧୮ ଜାନୁଆରୀ ୨୪ ତାରିଖରେ ସହିଦ ହୋଇଥିଲେ।


ମାଲକାନଗିରି ଜିଲ୍ଲା ସୀମାନ୍ତ ପଡ଼ୋଶୀ ଛତିଶଗଡ଼ର ନାରାୟଣପୁର ଜଙ୍ଗଲରେ ନକ୍ସଲ ପୋଲିସ ମୁକାବିଲା ବେଳେ ସେ ସହିଦ ହୋଇଥିଲେ। ମୁଲଚାନ୍ଦ ବୀରତ୍ୱର ସହ ନକ୍ସଲ ସହ ଲଢେଇ କରିଥିଲେ ଓ ତାଙ୍କ ସହ ୪ ଜଣ ମଧ୍ୟ ସହିଦ ହୋଇଥିଲ।

୨୦୧୭ ମସିହାରେ ବିବାହ ବନ୍ଧନରେ ବନ୍ଧା ହୋଇଥିବା ମୁଲଚାନ୍ଦଙ୍କ ପତ୍ନୀ ଗର୍ଭବତୀ ଥିବା ବେଳେ ମୁଲଚାନ୍ଦ ଆଖି ବୁଜି ଦେଇଥିଲେ।

Leave a Reply