ଇଚ୍ଛା ଥିଲେ ବି ଝିଅକୁ କୋଳେଇ ପାରିଲେନି ବାପା, କବାଟ ସେପଟେ କାନ୍ଦି କାନ୍ଦି ଚାହିଁଲା ଝିଅ… ଭିଡିଓ ହେଲା ଭାଇରାଲ
1 min read
କରୋନା ଭାଇରାସ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ଦ୍ୱିତୀୟ ଭଗବାନଙ୍କ ଭରସାରେ ଲୋକେ। କିନ୍ତୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଉଥିବା ଡାକ୍ତରମାନେ ଯେ ସେମାନଙ୍କ ପରିବାରଠାରୁ କେତେ ଦୂରରେ ତାହା ଏବେ ଏକ ଭାଇରାଲ ଭିଡିଓରୁ ସ୍ପଷ୍ଟ ଅନୁମାନ କରାଯାଇପାରେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଇଛି ଜଣେ ଡାକ୍ତର ହସ୍ପିଟାଲରୁ ଡ୍ୟୁଟି ସାରି ଘରକୁ ଫେରିଛନ୍ତି। ହେଲେ ସେ କରୋନା ଯୋଦ୍ଧା ହୋଇଥିବାରୁ ତାଙ୍କୁ ଘରକୁ ପ୍ରବେଶ ନିଷେଧ। ନଚେତ୍ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ କରୋନା ସଂକ୍ରମଣ ହେବାର ଭୟ ରହିଛି।
https://twitter.com/ThePlacardGuy/status/1250293770844663808?s=19
କିନ୍ତୁ ପିତାଙ୍କ ଘରବାହୁଡାକୁ ଦେଖି ଭିତରେ ଥିବା କୁନି ଝିଅଟି ଖୁସିରେ ପିତାଙ୍କ ନିକଟକୁ ଦୌଡିଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ହେଲେ ନିରୁପାୟ ଡାକ୍ତର ଜଣକ ଘର ବାହାରେ କାଚଦେଇ ଝିଅକୁ ଦେଖି ଫ୍ଲାଇଙ୍ଗ କିସ୍ ଦେଉଥିବା ବେଳେ କୁନି ଝିଅଟିର ମନ କିନ୍ତୁ ମାନୁନାହିଁ। ପିତା ତାକୁ କୋଳେଇ ନିଅନ୍ତୁ ଏହାହିଁ ଭାବି ସେ କାନ୍ଦିବାକୁ ଲାଗିଛି। ହେଲେ ନିରୁପାୟ ପିତା କରୋନା ଭୟରେ ଝିଅଠାରୁ ତଥା ପରିବାରଠାରୁ ଦୂରେଇ ରହିଛନ୍ତି। ଏହି ଭିଡିଓଟିକୁ ମଧୁର ନାମକ ଜଣେ ଟୁଇଟର ୟୁଜର ଶେୟାର କରିବା ପରେ ଏପର୍ଯ୍ୟନ୍ତ ଏହାକୁ ୬୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଦେଖିସାରିଥିବା ଜଣାପଡିଛି। ତେବେ ଭିଡିଓଟି କେଉଁଠିକାର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।