ଖୋଲିଲା ବଡ଼ଘରର ଗୁମର କଥା, ସଂପତ୍ତି ପାଇଁ ସୈତାନ ପାଲଟିଲେ ଝିଅ ଜ୍ବାଇଁ

1 min read

ଭୁବନେଶ୍ବର: ଜନ୍ମ କଲା ଝିଅ ଦେଇଛି ମରଣାନ୍ତକ ଯାତନା। ସଂପତ୍ତି ପାଇଁ ସୈତାନ ପାଲଟିଲେ ଝିଅ, ଜ୍ବାଇଁ। ଭୁଲିଗଲେ ସଂପର୍କର ଲକ୍ଷ୍ମଣରେଖା। ମାଡ଼ ମାରିଲେ, ଲହୁଲୁହାଣ କଲେ। ଏବେ ହସପିଟାଲ୍‌ ବେଡ୍‌ରେ ଛଟପଟ୍‌ ହେଉଛନ୍ତି ଭୁବନେଶ୍ବର କାନନ ବିହାର ଫେଜ୍-୧ର ଡକ୍ଟର ଭୀମସେନ ସେନାପତି। ତାଙ୍କ ସଂପତ୍ତି ଉପରେ ଥିଲା ଝିଅ ଜ୍ବାଇଁଙ୍କ ଆଖି।

ଦୁଇ ପୁଅ ବାହାରେ ରହୁଥିବା ସୁଯୋଗ ନେଇ ଭୀମସେନଙ୍କ ଘରେ ରହୁଥିଲେ ଆଉ ବାରମ୍ବାର ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିଲେ। ଗତ ୯ତାରିଖ ସକାଳେ କିନ୍ତୁ ସବୁ ସୀମା ଟପିଯାଇଥିଲା। ଭୀମସେନ୍‌ଙ୍କୁ ତଳେ ପକାଇ ଅତି ନିର୍ମମ ଭାବେ ମାଡ଼ ମାରିଥିଲେ ଝିଅ, ଜ୍ବାଇଁ ଓ ନାତି। ଏପରିକି ଭୀମସେନ୍‌ଙ୍କ ପତ୍ନୀ ପ୍ରତିବାଦ କରିବାକୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏନେଇ ବଡ଼ ପୁଅ ଚିନ୍ମୟାନନ୍ଦ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ସେପଟେ ହସପିଟାଲ ବେଡ୍‌ରୁ ନ୍ୟାୟ ମାଗିଛନ୍ତି ଭୀମସେନ୍।

୮୫ ବର୍ଷୀୟ ବାପା ମୁହଁରେ ଝିଅ ନିର୍ଯାତନାର କାହାଣୀ। ଆଗରୁ ବି କାନନ ବିହାର ଘର ଓ ସଂପତ୍ତି ପାଇଁ ଝଗଡ଼ କରୁଥିଲେ ଝିଅ, ଜ୍ବାଇଁ। ରାଜି ନହେବାରୁ ପଶୁ ପାଲଟିଥିଲେ। ନିର୍ଦ୍ଦୟ ଭାବେ ମାଡ଼ ମାରିଥିଲେ। ଭୀମସେନଙ୍କ ପତ୍ନୀ ଥାନାକୁ ଫୋନ୍ କରିବା ପରେ ପିସିଆର୍‌ ଟିମ୍ ପହଞ୍ଚି ହସପିଟାଲ ନେଇଥିଲା। ଭୀମସେନଙ୍କ ଅଣ୍ଟା ଅପରେସନ୍‌ କରାଯାଇଛି, ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି। ଘଟଣା ପରେ ଭୀମସେନ୍‌ଙ୍କ ଜ୍ବାଇଁ ଓ ନାତି ଫେରାର ହୋଇଯାଇଛନ୍ତି। ତେବେ ଏନେଇ ଝିଅ, ଜ୍ବାଇଁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply